ଅଶ୍ୱିନ ଖେଳିବେନି ଟି-୨୦ ବିଶ୍ୱକପ: ପାର୍ଥିବ

ହେଲେ ଗତ କିଛିଦିନ ହେବ ସେ ସୀମିତ ଓଭର କ୍ରିକେଟ ଖେଳି ପାରିନଥିଲେ….

ନୂଆଦିଲ୍ଲୀ : ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ଲେଗ ସ୍ପିନର ରବି ବିଷ୍ଣୋଇଙ୍କ ସ୍ପିନ ଯୋଡିଙ୍କ ନେତୃତ୍ୱରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି । ତେବେ ପୂର୍ବତନ କ୍ରିକେଟ ଖେଳାଳିଙ୍କ ମତରେ ଅଶ୍ୱିନ ଟି-୨୦ ବିଶ୍ୱ କପ ଦଳରେ ରହିବେ ନାହିଁ । ୟୁଏଇ ଗତ ବର୍ଷରେ ଖେଳାଯାଇଥିବା ଟି-୨୦ ବିଶ୍ୱ କପରେ ଆର ଅଶ୍ୱିନ ଦଳର ଅଂଶ ଥିଲେ । ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ଖେଳିଥିଲେ । ହେଲେ ଗତ କିଛିଦିନ ହେବ ସେ ସୀମିତ ଓଭର କ୍ରିକେଟ ଖେଳି ପାରିନଥିଲେ । ହେଲେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ରେ ତାଙ୍କୁ ସୁଯୋଗ ମିଳିଥିଲା ।

ପ୍ରଥମ ମୁକାବିଲାରେ ସେ କିଛି ରନ କରିବା ସହିତ ଦୁଇଟି ୱିକେଟ ନେଇଥିଲେ । ଭାରତର ପୂର୍ବତନ ୱିକେଟ କିପର ପାର୍ଥି ପଟେଲଙ୍କୁ ଲାଗୁଛି ଯେ, ଅଶ୍ୱିନଙ୍କୁ ୨୦୨୨ ବିଶ୍ୱ କପ ପାଇଁ ଦଳରେ ଚୟନ କରାଯିବାର ସମ୍ଭାବନା ବହୁତ କମ ରହିଛି । ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ଭାରତ ପାଇଁ ଆଟାକିଂ ବିକଳ୍ପ । ସେ କହିଛନ୍ତି, ମୁଁ ବିଷ୍ଣୋଇଙ୍କୁ ପରବର୍ତ୍ତୀ ମ୍ୟାଚରେ ଅଶ୍ୱିନଙ୍କଠୁ ଆଗରେ ଦେଖିବାକୁ ଚାହାନ୍ତି । ମୁଁ ସଚ୍ଚୋଟତାର ସହ କହିବାକୁ ଚାହୁଁଛି ଯେ, ଅଶ୍ୱିନଙ୍କୁ ଟି-୨୦ ବିଶ୍ୱ କପରେ ସ୍ଥାନ ମିଳିବ ନାହିଁ । ମୁଁ କୁଲଦୀପ ଯାଦବ, ବିଷ୍ଣୋଇ ଏବଂ ୟୁଜବେନ୍ଦ୍ର ଚହଲଙ୍କ ବିବିଧତା ଦେଖିବାକୁ ଚାହେଁ ।