ଜାଡେଜାଙ୍କ ବିଶ୍ୱକପ ଖେଳିବାକୁ ନେଇ ଦ୍ରାବିଡଙ୍କ ପ୍ରତିକ୍ରିୟା

ଦ୍ରାବିଡ କହିଛନ୍ତି ବିଶ୍ୱକପ ପାଇଁ ଏବେ ଆହୁରି ସମୟ ରହିଛି……

ନୂଆଦିଲ୍ଲୀ : ଏସିଆ କପ ୨୦୨୨ର କିଛିଦିନ ବ୍ୟବଧାନରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ଅଷ୍ଟ୍ରେଲିଆରେ ହେବାକୁ ଥିବା ଗ୍ରାଣ୍ଡ ଇଭେଣ୍ଟ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି ସମସ୍ତ ଟିମ । କିନ୍ତୁ ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ଅଶୁଭ ଖବର । ଆଣ୍ଠୁ ସମସ୍ୟା ପାଇଁ ଏସିଆ କପ ଅଧାରୁ ବାଦ ପଡିଥିବା ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି ।

ଯଦି ତାଙ୍କର ଲିଗାମେଣ୍ଟ ସର୍ଜରୀ କରାଯାଏ ତେବେ ତାଙ୍କୁ ଅତି କମରେ ୬ ମାସ ବିଶ୍ରାମ ନେବାକୁ ପଡିବ । ଏହା ହେଲେ ସେ ବିଶ୍ୱକପ ଖେଳିପାରିବେ ନାହିଁ । ତେବେ ଜାଡେଜାଙ୍କ ଆହତ ସମସ୍ୟାକୁ ନେଇ ବଡ ଅପଡେଟ ଦେଇଛନ୍ତି ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଦ୍ରାବିଡ । ସେ କହିଛନ୍ତି ଆସନ୍ତା ଅକ୍ଟେବାରରେରେ ହେବାକୁ ଥିବା ଟି-୨୦ ବିଶ୍ୱକପରୁ ଜାଡେଜାଙ୍କୁ ବାଦ ଦିଆଯାଇପାରିବ ନାହିଁ ।

ସେ ଆଣ୍ଠୁ ସମସ୍ୟା କାରଣରୁ ୟୁଏଇରେ ଖେଳାଯାଉଥିବା ଏସିଆ କପରୁ ବାଦ ପଡିଛନ୍ତି । ଦ୍ରାବିଡ କହିଛନ୍ତି ବିଶ୍ୱକପ ପାଇଁ ଏବେ ଆହୁରି ସମୟ ରହିଛି । ତେଣୁ ତାଙ୍କୁ ଏବେ ଠାରୁ ଦଳରୁ ବାଦ ଦେଇହେବନି । ଜାଡେଜା ଏବେ ମେଡିକାଲ ଟିମର ତତ୍ତ୍ୱାବଧାନରେ ରହିଛନ୍ତି ।