ବର୍ଷାପାଣିରେ ଧୋଇଗଲା ନବୀନବାବୁଙ୍କ ସାଧନା

ବିଜେଡି ଛତ୍ରଛାୟାରେ ନିର୍ବାହୀ ଯନ୍ତ୍ରୀ ଓ ଠିକାସଂସ୍ଥା

ଦେବଗଡ଼: ନୂଆଦିଲ୍ଲୀର ଜୀବନବ୍ୟାପୀ ସାଧନା ସମ୍ମାନ ତୁଳନାରେ ବର୍ଷାପାଣି ଅଧିକ ନିଦା ବୋଲି ଦେବଗଡ଼ ଜନତା କୁହାକୁହି ହେଉଛନ୍ତି । ବିଜେଡି ସରକାରଙ୍କ ଅମଳରେ ଦେବଗଡ଼ ପିଡବ୍ଲ୍ୟୁଡି ପରିଚାଳନାରେ ନିର୍ମିତ ଅନେକ ରାସ୍ତା, କୋଠାବାଡ଼ି, ପାଂଚୋଟି ବିଦ୍ୟାଳୟ କୋଠା ଓ ମରାମତି କାମ ହେଉଥିବାରୁ ସେଗୁଡ଼ିକୁ ନବୀନ ପଟ୍ଟନାୟକଙ୍କ ଜୀବନବ୍ୟାପୀ ସାଧନା କୁହାଯାଉଛି । ନବୀନବାବୁଙ୍କ ସାଧନାର ଫଳ ରାଜ୍ୟବାସୀଙ୍କ କାମରେ ଲାଗୁନି । ଦେବଗଡ଼ ପିଡବ୍ଲ୍ୟୁଡିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଚାଲିଥିବାର ଅଭିଯୋଗକୁ ଖଣ୍ଡନ କରି ଚାଲିଛନ୍ତି ବିଭାଗୀୟ ଅଧିକାରୀମାନେ । ପିଡବ୍ଲ୍ୟୁଡିର ଦୁର୍ନୀତିପ୍ରବଣ ଯୋଜନାଗୁଡ଼ିକ ବର୍ଷାପାଣିରେ ଧୋଇଯାଉଛି । ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିବା ନିର୍ମାଣାଧୀନ ପିଚୁରାସ୍ତା ମଧ୍ୟ ବର୍ଷାପାଣିକୁ ସାମ୍ନା କରିପାରୁନି । ନିମ୍ନମାନର କାମ ହେତୁ ଅଳ୍ପବର୍ଷାରେ ଜିଲ୍ଲାପାଳଙ୍କ ଅଫିସ ନିକଟକୁ ଯାଇଥିବା ରାସ୍ତା ଉପରେ ବହୁ ଖାଲଖମା ସୃଷ୍ଟି ହୋଇଛି ।
ରିପୋର୍ଟ ମୁତାବକ ୪୯ ନମ୍ବର ଜାତୀୟ ରାଜପଥରୁ ନୂଅାଁ ବାଲିରୋଇରେ ପ୍ରତିଷ୍ଠିତ ଦେବଗଡ଼ ଜିଲ୍ଲାପାଳଙ୍କ ନୂତନ ଅଫିସ କୋଠା, ନିର୍ମାଣ ଚାଲିଥିବା ମୁଖ୍ୟ ଡାକ୍ତରଖାନା କୋଠା ସମେତ ଅନ୍ୟାନ୍ୟ କୋଠାକୁ ପଡ଼ିଥିବା ରାସ୍ତା ନିର୍ମାଣ ପାଇଁ ପିଡବ୍ଲ୍ୟୁଡି ପକ୍ଷରୁ ୩.୫୭ କୋଟି ଟଙ୍କା ମଂଜୁର କରାଗଲା । ସନ୍ତୋଷ କୁମାର ମିଶ୍ର ନାମକ ଜଣେ ଠିକାଦାର ରାସ୍ତା ନିର୍ମାଣ ଦାୟିତ୍ୱ ନେଲେ । ରାସ୍ତାକାମ ଆରମ୍ଭରୁ ସଂପୂର୍ଣ୍ଣ ଖଇଚିଆ କରାଯାଇଛି । ବାଲି, ମାଟି, ପଥରଗୁଣ୍ଡ, ସିମେଂଟ, ମେଟାଲ, ଚିପ୍ସ, ପିଚୁ ଓ ଏପରିକି ଆବଶ୍ୟକ ପରିମାଣର ପାଣି ମଧ୍ୟ ଖର୍ଚ୍ଚ କରାଯାଉନି । ଫଳରେ ରାସ୍ତା ନିର୍ମାଣ କାମ ଆଗେଇ ଚାଲିଛି; ତା’ ସହିତ ନିର୍ମିତ ରାସ୍ତାରୁ ପିଚୁ, ଗୋଡ଼ି ଉଠିବା ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପ୍ରତି କର୍ଣ୍ଣପାତ କରୁନାହାନ୍ତି ବିଭାଗୀୟ ଇଞ୍ଜିନିୟର ।

ନିର୍ମାଣ କାମ ତଦାରଖ ଦାୟିତ୍ୱରେ ଅଛନ୍ତି କନିଷ୍ଠ ଯନ୍ତ୍ରୀ ଦୁବରାଜ ହେମ୍ବ୍ରମ । ବର୍ଷାପାଣିରେ ନୂତନ ରାସ୍ତାଟି କିପରି ଧୋଇଗଲା ପଚାରିବାରୁ ସେ ସୁରକ୍ଷା ବାଡ଼ କଥା ଉଠାଇଛନ୍ତି । ଏସ୍‌ଡିଓ ରଞ୍ଜନ ନାୟକଙ୍କ ମତାମତ ଲୋଡ଼ିବାରୁ ସେ ସଠିକ୍‌ ଜବାବ ଦେଇପାରିଲେନି । ଏପରିକି ରାସ୍ତାର ବ୍ୟୟ ଅଟକଳ ଓ ଠିକା ସଂସ୍ଥାର ନାମ ମଧ୍ୟ ଜାଣିନାହାନ୍ତି । ଦେବଗଡ଼ ପିଡବ୍ଲ୍ୟୁଡି ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ସାହୁ ଅଭିଯୋଗ ପ୍ରତି ଦୃଷ୍ଟି ଦେବେ କହି ନିରବ ରହିଛନ୍ତି । ଲୋକମାନଙ୍କ ଅଭିଯୋଗ ହେଉଛି, ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ଠିକାସଂସ୍ଥା ମିଳିତ ଭାବେ ସରକାରୀ ଧନକୁ ଲୁଟି ଚାଲିଛନ୍ତି । ଆବଶ୍ୟକ ପଡ଼ିଲେ, ଶାସକ ଦଳକୁ ଚାନ୍ଦା ଦେଇ ସବୁ ମାନ୍ଦା କରିଦେବାର ଉଦ୍ୟମ ଚାଲିଛି ।