ମୁଖ୍ୟମନ୍ତ୍ରୀଙ୍କ ଫଟୋରୁ ସବୁ ଯୋଜନାର ଆରମ୍ଭ

ବିଫଳତା ପାଇଁ ଦାୟୀ ରୁହନ୍ତୁ ନବୀନବାବୁ

ପିସି ବିନା ବିଜେଡି ସରକାର ଅଚଳ

ମୁଖିଗୁଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ‘ଗୋଦରା କୋଡେ଼ ଯେତେ ମାଡେ଼ ସେତେ’ ନୀତିରେ ସବୁ କାମ ଚାଲିଛି । ଇନ୍ଦ୍ରାବତୀ ବାବ ମୁଖ୍ୟ କେନାଲ ଭୁଶୁଡ଼ିଯିବା କାରଣରୁ କିଛି ଲୋକଙ୍କ ବାସଗୃହ ଓ ଜମି କ୍ଷତିଗ୍ରସ୍ତ ହୋଇଛି । ସଂପୃକ୍ତ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସେ କୌଣସି ପ୍ରଶ୍ନର ଜବାବ ଦେବାକୁ ଅଯୋଗ୍ୟ । କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ରିପୋର୍ଟରଙ୍କ ପ୍ରଶ୍ନର ସଠିକ ଜବାବ ଦେଇପାରିବେ କାରଣ ରାଜ୍ୟର ପ୍ରତିଟି ଯୋଜନା ମୁଖ୍ୟମନ୍ତ୍ରୀଙ୍କ ଫଟୋରୁ ଆରମ୍ଭ ହୋଇଛି । ପ୍ରତିଟି ଯୋଜନାର ବିଫଳତା ପାଇଁ କେବଳ ମୁଖ୍ୟମନ୍ତ୍ରୀ ଦାୟୀ ।

ରବିବାର ରାତି ପ୍ରାୟ ୧୨ଟାରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ଘାଇ ସୃଷ୍ଟି ହୋଇଥିଲା । ଜୟପାଟଣା ବ୍ଲକ ଅନ୍ତର୍ଗତ ସର୍ଗିଗୁଡ଼ା ପଂଚାୟତର ଡୁଙ୍ଗୁରିପଡ଼ା ଆର୍‌ଡି ୮୪୩୦ ମିଟର ନିକଟରେ ୧୦ ମିଟର ଲମ୍ବର ଘାଇ ସୃଷ୍ଟି ହୋଇଛି । ମଙ୍ଗଳପୁର ହାତୀ ବ୍ୟାରେଜରୁ ପାଣି ଛଡ଼ାଯିବାରୁ ଦୁର୍ବଳ କେନାଲ ବନ୍ଧରେ ଘାଇ ଦେଖାଦେଇଛି । ରାତି ପ୍ରାୟ ତିନିଟାରେ ବ୍ୟାରେଜ ଗେଟ୍‌ ବନ୍ଦ କରାଯାଇଥିଲା । ଏହି ଘାଇ କାରଣରୁ ଡୁଙ୍ଗୁରିପଡ଼ାର ମଧୁସୂଦନ ଠାକୁର, ସୋମନାଥ ଠାକୁର ଓ ସୁଦର୍ଶନ ଠାକୁରଙ୍କ ଘର କ୍ଷତିଗ୍ରସ୍ତ ହୋଇଛି । ଦୁଇଜଣ ଚାଷୀଙ୍କ ଜମିରେ ବାଲି ଚରିଯାଇଛି । ଦୀର୍ଘଦିନରୁ ଘାଇ ସୃଷ୍ଟି ହେବା ସ୍ଥାନରେ ପାଣି ଝରୁଥିଲା । ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛଉ । ଆମ ଅଭିଯୋଗକୁ କେହି ଶୁଣିଲେନି; ଏବେ ଭାଙ୍ଗିଯିବା ପରେ ସମସ୍ତେ ଦୋଷ ଘୋଡ଼ାଇବାକୁ ଉଦ୍ୟମ କରୁଛନ୍ତି । ସବୁ ଦୋଷ ନବୀନ ପଟ୍ଟନାୟକଙ୍କର । ଯୋଉ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି; ସେମାନେ ଶୁଣିବାକୁ ନାରାଜ । ଘାଇ ପାଇଁ ସରକାରୀ ଅଧିକାରୀ କମ୍‌ ଓ ନବୀନ ପଟ୍ଟନାୟକ ବେଶି ପରିମାଣରେ ଦାୟୀ ବୋଲି ସ୍ଥାନୀୟ ଲୋକେ ଦୃଢ଼ତାର ସହ କହିଛନ୍ତି ।

ଏହା ପୂର୍ବରୁ ୩ ତାରିଖରେ ଧର୍ମଗଡ଼ ବରାଡ଼ ନିକଟରେ ଇନ୍ଦ୍ରାବତୀ ବାମ କେନାଲ ଭୁଶୁଡ଼ି ଯାଇଥିଲା । ନବୀନବାବୁଙ୍କ ସରକାର ଅଧିକ ପରିମାଣର ପିସି ନେଉଥିବାରୁ ଠିକାଦାରମାନେ ଯାବତୀୟ ଅଳିଆ କାମ କରୁଛନ୍ତି । ତା’ଫଳରେ ବନ୍ଧରେ ଘଳିଆ ପଡ଼ିବା ସ୍ୱାଭାବିକ ବୋଲି ଲୋକମାନେ ଛିଗୁଲାଉଛନ୍ତି ।