ସୁଇପରଙ୍କୁ ଡାକ୍ତରୀ କାମରେ ଲଗାଇଲେ ନବୀନବାବୁ

ମୁଖ୍ୟ ଶାସନ ସଚିବ ଓ ଭିକେ ପାଣ୍ଡିଆନଙ୍କୁ ଉଚ୍ଚ ପ୍ରଶଂସା

ଭୁବନେଶ୍ୱର: ପିଲାଦିନେ ପଢ଼ିଥିଲୁ, ମାଙ୍କଡ଼ ଭାଇ ବଇଦ ସାଜି ଚିପେ ଗଧିଆ ନାଡ଼ି । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ସେହି ଦୃଶ୍ୟ ଦେଖିବାକୁ ମିଳିଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଦକ୍ଷ ପରିଚାଳନାରେ ରାଜ୍ୟର ଦୁର୍ଗମ ଅଂଚଳରେ ଥିବା ଡାକ୍ତରଖାନାକୁ ଝାଡୁଦାରମାନେ ସମ୍ଭାଳିଛନ୍ତି । ଖାଲି ସେତିକି ନୁହେଁ, ପାଣ୍ଡିଆନବାବୁଙ୍କ ଉଚିତ ପରାମର୍ଶକୁ ଠିକ୍‌ ଭାବେ ଗ୍ରହଣ କରିଛନ୍ତି ନବୀନବାବୁ । ସମସ୍ତଙ୍କୁ ଚିକିତ୍ସା ସେବା ଉପଲବ୍ଧ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିମଧ୍ୟରେ ଦୁର୍ଗମ ଅଂଚଳରେ ପ୍ରତିଷ୍ଠିତ ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ କାର୍ଯ୍ୟରତ ଝାଡୁଦାରଙ୍କୁ ରୋଗୀଙ୍କ ନାଡ଼ି ପରୀକ୍ଷା କରି ଔଷଧ ଲେଖିବାକୁ ଅନୁମତି ପ୍ରଦାନ କରିଛନ୍ତି ।

କେବଳ ଝାଡୁଦାର ନୁହନ୍ତି, ଡାକ୍ତରଙ୍କ ଅନୁପସ୍ଥିତିରେ ଡାକ୍ତରଖାନାରେ କାର୍ଯ୍ୟରତ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଲେଖିପାରିବେ । ଆବଶ୍ୟକ ପଡ଼ିଲେ, ଡାକ୍ତରଖାନାର ଚୌକି, ଟେବୁଲ ପ୍ରଭୃତି ଆସବାବପତ୍ରଗୁଡ଼ିକ ମଧ୍ୟ ରୋଗୀଙ୍କୁ ପରୀକ୍ଷା କରିପାରିବେ । ଉଦାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗ୍ରହ ପାଇ ଏଣିକି ଝାଡୁଦାରମାନେ ଡାକ୍ତରଙ୍କ କାମ କରୁଥିବାରୁ ରାଜ୍ୟବାସୀ ବିଜୁବାବୁଙ୍କୁ ସାଧୁବାଦ ଜଣାଇଛନ୍ତି ।
ମୟୂରଭଞ୍ଜ ଜିଲ୍ଲାର ଜାମଦା ବ୍ଲକ ଅନ୍ତର୍ଗତ ମାନବୀର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଝାଡୁଦାର ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଚିଠା ଲେଖୁଛନ୍ତି । ଦୀର୍ଘଦିନ ଧରି ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ପାଦପଡ଼ିନି । ତଥାପି ଡାକ୍ତରଖାନାକୁ ବିନା ପ୍ରତିବାଦରେ ଚଳାଇଛନ୍ତି ଡାକ୍ତରଖାନାର ଝାଡୁଦାର । ଡାକ୍ତରଙ୍କ ଚେୟାରରେ ବସି ଝାଡୁଦାର ବାବୁ ରୋଗୀଙ୍କ ନାଡ଼ି ଚିପି ଔଷଧ ଚିଠା ଲେଖୁଛନ୍ତି । ଝାଡୁଦାରଙ୍କ ଠାରୁ ଡାକ୍ତରୀ ସେବା ପାଉଥିବାରୁ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନଙ୍କ ପ୍ରତି ଉଦାର ମନୋଭାବକୁ ତାରିଫ କରିଛନ୍ତି । ଖାସ କରି ସୁରେଶ ମହାପାତ୍ରଙ୍କର ଏଇ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଚାକିରି କାଳକୁ ଆହୁରି ୬ ମାସ ବଢ଼ାଇଛନ୍ତି ବୋଲି ସ୍ଥାନୀୟ ଲୋକମାନଙ୍କ ମୁହଁରୁ ଶୁଣିବାକୁ ମିଳିଛି ।

ମାନବୀର ସ୍ୱାସ୍ଥ୍ୟକେନ୍ଦ୍ରରେ ପିଇବା ପାଣି ଅଭାବ, ଡାକ୍ତର ଅଭାବ, ଶୌଚାଳୟ ଅଭାବ, ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରୁମରେ ଅଳିଆ ଭର୍ତି । ଏ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଚିଠି ଲେଖାଯାଉଥିଲେ ମଧ୍ୟ ତା’ର କୌଣସି ଜବାବ ମିଳୁନି । ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ଡାକ୍ତରଖାନାର ସୁଇପର ଆଜିକାଲି ଡାକ୍ତରଙ୍କଠାରୁ ଆହୁରି ବିଚକ୍ଷଣ ହେଲେଣି । ଡାକ୍ତରଙ୍କ ପାଖେପାଖେ ରହି ସେମାନେ ବି ଔଷଧ ଲେଖିବା ଶିଖିଯାଉଛନ୍ତି ।