ନବୀନବାବୁଙ୍କ ଉଦାରପଣିଆକୁ ପ୍ରଶଂସା

ଈିନ୍ନକ୍ଷମଙ୍କ ଶିବିରରେ ଡାକ୍ତର ଅଭାବ, ପାଣି ଅଭାବ

ନିଶ୍ଚିନ୍ତକୋଇଲି: ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରି ସଂପୃକ୍ତ ଅଂଚଳର ଦିବ୍ୟାଙ୍ଗମାନଙ୍କୁ ଡକାଇ ସ୍ଥାନୀୟ ପ୍ରଶାସନ ଯୋଉ ପ୍ରକାର ବ୍ୟବହାର ପ୍ରଦର୍ଶନ କରିଛି; କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଏପରି ଅଭ୍ୟର୍ଥନା ମିଳୁଛି ବୋଲି ଶିବିରକୁ ଯାଇଥିବା ଦିବ୍ୟାଙ୍ଗ ଲୋକମାନେ ମତବ୍ୟକ୍ତ କରିଛନ୍ତି । ଶିବିରକୁ କିଛି ଡାକ୍ତରମାନେ ଆସି ନଥିଲେ; ଯେଉଁ ଡାକ୍ତରମାନେ ଆସିଥିଲେ, ସେମାନେ ଶିବିରରେ ଉପସ୍ଥିତ ଦିବ୍ୟାଙ୍ଗଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଅବା ଔଷଧପତ୍ର ଲେଖିବା ବଦଳରେ ଜଲଦି ପଳାଇଲେ । ଏ ତ ଗଲା ଶିବିରକୁ ଆମନ୍ତ୍ରଣ କରାଯାଇଥିବା ଡାକ୍ତର ମଣ୍ଡଳୀଙ୍କ ମାନସିକତା । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ପାନୀୟ ଜଳ କି ଜଳଖିଆର ସୁବନ୍ଦୋବସ୍ତ କରାଯାଇ ନଥିଲା ।
ସଚିବାଳୟ କକ୍ଷରେ ଅନୁଷ୍ଠିତ ବୈଠକରେ ଯୋଗ ଦେଉଥିବା ଉଚ୍ଚ ଅଧିକାରୀଙ୍କ ପେଟପୂଜା ପାଇଁ ସରକାରଙ୍କ ପାଖରେ ଟଙ୍କା ଥିଲାବେଳେ ଦିବ୍ୟାଙ୍ଗ ଲୋକଙ୍କୁ ଶିବିରକୁ ଡକାଇ ସେମାନଙ୍କ ପାଇଁ ଜଳପାନର ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ପାଖରେ ଟଙ୍କା ନଥିଲା । ଆମେ ନିଶ୍ଚିନ୍ତକୋଇଲ ବ୍ଲକ ପକ୍ଷରୁ ପ୍ରହଲ୍ଲାଦ ମହାବିଦ୍ୟାଳୟରେ ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସମ୍ପର୍କରେ କିଛି ଲେଖୁଛୁ ।

ବ୍ଲକ ଅଧିକାରୀଙ୍କ ଖାମଖିଆଲି ମନୋଭାବ କାରଣରୁ ଅନୁଷ୍ଠିତ ଭିନ୍ନକ୍ଷମ ଶିବିର କ୍ରମେ ସମାଲୋଚନାର ପାତ୍ର ହୋଇଥିଲା । ଲୋକଙ୍କ ସମାଲୋଚନାରୁ ରକ୍ଷା ପାଇବା ପାଇଁ ବ୍ଲକ ଅଧିକାରୀ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଫାଇଭ୍‌ ଟି ମୁଖ୍ୟଙ୍କୁ ଦାୟୀ କରିଥିଲେ । କଟକ ସଦର ନିର୍ବାଚନ ମଣ୍ଡଳୀର ୧୪ଟି ପଂଚାୟତ ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୨୭ଟି ପଂଚାୟତକୁ ନେଇ ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ଗଠିତ । ୪୧ଟି ପଂଚାୟତର ଭିନ୍ନକ୍ଷମ ଲୋକମାନେ ପ୍ରହଲ୍ଲାଦ ମହାବିଦ୍ୟାଳୟ ଶିବିରକୁ ଆସି ଘୋର ଅବ୍ୟବସ୍ଥାର ଶିକାର ହୋଇ ନିରାଶରେ ଘରକୁ ଫେରିଛନ୍ତି । ଶିବିର ପାଇଁ ଲକ୍ଷାଧିକ ଟଙ୍କା ମଞ୍ଜୁର କରାଯାଇଥିବା ଶୁଣିବାକୁ ମିଳୁଛି; ମାତ୍ର ଏ ବାବଦରେ ବ୍ଲକ ଅଧିକାରୀ କିଛି କହିନାହାନ୍ତି । ଭିନ୍ନକ୍ଷମ ଲୋକ ଓ ସେମାନଙ୍କ ସହିତ ଆସିଥିବା ବ୍ୟକ୍ତିଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳ କରାଯାଇ ନଥିଲା । ଶିବିରରେ ପାଣି ଟୋପାଏ ନପାଇ ଲୋକମାନେ ଡହଳ ବିକଳ ହୋଇଥିଲେ । ଏପରିକି ଶିବିର ସଂପର୍କରେ ପଂଚାୟତ ସମିତି ତରଫରୁ ସବୁ ପଂଚାୟତର ଲୋକମାନଙ୍କୁ ଜଣାଯାଇ ନଥିଲା । ତେହୁ ବହୁ ଭିନ୍ନକ୍ଷମ ଲୋକ ଶିିବିରକୁ ଯାଇପାରି ନଥିଲେ ।