ନୂଆଦିଲ୍ଲୀ: ଶେଷଦିନରେ କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରେ ଯୋଗ ଦେଇଛନ୍ତି ମଲ୍ଲିକାର୍ଜୁନ ଖାଡ୍ଗେ । ୯ ଦିନ ଧରି ଘାଂଟଚକଟା ପରେ ହାଇକମାଣ୍ଡଙ୍କ ସଂକେତ ପାଇ ମଲ୍ଲିକାର୍ଜୁନ ନାମାଙ୍କନ ଦାଖଲ କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଏକେ ଆଂଟୋନୀ, ପବନ ବଂଶଲ, ଦିଗବିଜୟ ସିଂହଙ୍କ ଭଳି ଦଳର ୩୦ ଜଣ ବରିଷ୍ଠ ନେତା ଖାଡ୍ଗେଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଅଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଖାଡ୍ଗେଙ୍କୁ ସୁଯୋଗ ଦିଆଯିବା ଅନେକଙ୍କୁ ବିସ୍ମିତ କରିଛି । ୨୪ ଆକବର ରୋଡରୁ ୧୦ ଜନପଥ ଯାଏ, ସବୁଠି ଆଲୋଚନା ଚାଲିଛି ଯେ ହାଇକମାଣ୍ଡ ଖାଡ୍ଗେଙ୍କୁ ବାଛିବା ପଛରେ ରହସ୍ୟ କ’ଣ? ମନୋନୟନ ପତ୍ର ଦାଖଲ ପର୍ଯ୍ୟନ୍ତ ତାଙ୍କ ନାମ ଚର୍ଚ୍ଚାର ପରିସରକୁ ନ ଆସିବାର କାରଣ? ଆସନ୍ତୁ, ଟିକେ ଦୃଷ୍ଟିପାତ କରିବା ।
୨୮ ଡିସେମ୍ବରରେ ଜୟପୁରରେ ଗେହଲଟ୍ ଗୋଷ୍ଠୀ ହଙ୍ଗାମା କରିବା ପରେ ରାହୁଲ ଟିମ୍ କେରଳରୁ ଦିଗବିଜୟ ସିଂହଙ୍କୁ ପଠାଇ ମନୋନୟନ ପତ୍ର ଦାଖଲ କରିବାକୁ କହିଲା । ଦିଗୁ ସଂଗଠନ ମହାସଚିବ କେସି ବେଣୁଗୋପାଳଙ୍କ ସହିତ ଦିଲ୍ଲୀ ଯାଇ କଂଗ୍ରେସ ଅଫିସରୁ ନାମାଙ୍କନ ପତ୍ର ନେଲେ । ଶୁଣିବାକୁ ମିଳୁଛି, ୨୯ ତାରିଖ ରାତିରେ ସୋନିଆ ଓ ପ୍ରିୟଙ୍କା ଆଲୋଚନା କରି ଖାଡ୍ଗେଙ୍କୁ ବାଛିଥିଲେ । ସୋନିଆ ପ୍ରଥମେ ଗେହଲଟ୍ଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିଲେ ।
ମାତ୍ର ଗେହଲଟ୍ ଗୋଷ୍ଠୀଙ୍କ ଅଟଳ ଜିଦକୁ ଦେଖି ଗେହଲଟଙ୍କ ଉପରୁ ଦୃଷ୍ଟି ଫେରାଇନେଲେ । ପ୍ରାୟ ଦେଢ଼ଘଂଟା ଧରି ସୋନିଆ ଓ ପ୍ରିୟଙ୍କା ଆଲୋଚନା ପରେ ଖାଡ୍ଗେଙ୍କୁ ସବୁ ଦିଗରୁ ଉପଯୁକ୍ତ ନେତା ରୂପେ ବାଛିଲେ । ଅଧ୍ୟକ୍ଷ ପାଇଁ ଖାଡ୍ଗେ ନାମାଙ୍କନ ଦାଖଲ କରୁଥିବାର ଶୁଣି ଦିଗବିଜୟ ଲଢ଼ିବାକୁ ମନା କରିଦେଲେ । ଖାଡ୍ଗେଙ୍କୁ ବାଛିବା ପଛରେ ସବୁଠାରୁ ବଡ଼ କାରଣ ହେଲା ତାଙ୍କର ବୟସ ।ଖାଡ୍ଗେଙ୍କୁ ଏବେ ୮୦ ବର୍ଷ ବୟସ । ୨୦୨୪ ଲୋକସଭା ନିର୍ବାଚନ ବେଳକୁ ତାଙ୍କର ବୟସ ୮୨ ହୋଇଯିବ ।
ଖାଡ୍ଗେ ଅଧ୍ୟକ୍ଷ ହେଲେ ରାହୁଲଙ୍କ ପ୍ରତି ବିପଦର ଆଶଙ୍କା ନାହିଁ କାରଣ ଶଶି ଥରୁରଙ୍କ ପତିଆରା ନିକଟରେ ରାହୁଲ ଫିକା ପଡ଼ିଯିବାର ସମ୍ଭାବନା ରହିଛି । ଜାତିଦିଗରୁ ମଧ୍ୟ ଖାଡ୍ଗେ ବେଶ ଆଗରେ ଅଛନ୍ତି । ଖାଡ୍ଗେ ଦଳିତ ଜାତିର ହୋଇଥିବାରୁ ଅଧିକ ସଂଖ୍ୟକ ଦଳିତ ଭୋଟ ମିଳିବାର ସମ୍ଭାବନା ରହିଛି ।
ଲୋକସଭାର ୫୪୩ ଆସନ ଭିତରୁ ୧୩୧ଟି ଆସନ ଅନୁସୂଚୀତ ଜାତି ଓ ଜନଜାତି ପାଇଁ ସଂରକ୍ଷିତ ରହିଛି । ସ୍ଥାନ ଦୃଷ୍ଟିରୁ ଖାଡ୍ଗେ ଫିଟ୍ ଅଛନ୍ତି । ଖାଡ୍ଗେ ଦକ୍ଷିଣ ଭାରତର ଲୋକ ଓ ଦକ୍ଷିଣ ଭାରତରେ ବିଜେପିର ସ୍ଥିତି ଦୁର୍ବଳ । ଖାଡ୍ଗେଙ୍କ ହିନ୍ଦି ଟିକେ ଭିନ୍ନ ଧରଣର ହୋଇଥିବାରୁ ତାହା କଂଗ୍ରେସ ପାଇଁ ଲାଭଦାୟକ ରହିବ ବୋଲି ସୋନିଆ ଭାବୁଛନ୍ତି ।