ସ୍ୱାମୀଙ୍କ ଓଠରେ ଓଠ ରଖି ମୃତ୍ୟୁକୁ ତଡ଼ିଦେଲେ ସ୍ତ୍ରୀ

ସୂଚନା ପାଇବା ମାତ୍ରେ ଆରପିଏଫ୍‌ ସିପାହୀ ଅଶୋକ କୁମାର ସେଠାରେ ପହଂଚିଗଲେ…..

ମଥୁରା : ମାତ୍ର ୩୩ ସେକେଣ୍ଡର କଥା । ସେତିକି ସମୟ ଭିତରେ ପ୍ରାଣପ୍ରିୟା ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଜୀବନକୁ ଅଟକାଇବା ପାଇଁ ଅନ୍ତିମ ପ୍ରୟାସ କଲେ । ସ୍ୱାମୀଙ୍କ ପାଟିରେ ପାଟି ଲଗାଇ ପବନ ଭରିବାକୁ ଲାଗିଲେ । ଟ୍ରେନ୍‌ରେ ଯାଉଥିବା ସମୟରେ ଏପରି ଘଟଣା ଘଟିଥିଲା । ଯାତ୍ରୀମାନେ ଆହା ଚୁଚୁ କହିବା ଭିତରେ ପତ୍ନୀଙ୍କୁ ଆଉ କିଛି ବୁଦ୍ଧିବାଟ ଦିଶିଲାନି ।

ଆରପିଏଫ୍‌ ପୁଲିସଙ୍କ ପରାମର୍ଶ ମାନି ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ସିପିଆର ଦେଇଥିଲେ ଯାହାଫଳରେ ସ୍ୱାମୀ ବଂଚିଗଲେ । ସୂଚନାରୁ ପ୍ରକାଶ ଯେ ଚଳନ୍ତା ଟ୍ରେନରେ ଜଣେ ଯାତ୍ରୀ ହୃଦଘାତର ଶିକାର ହୋଇଥିଲେ । ଟ୍ରେନ୍‌ ଅଟକିବା ମାତ୍ରେ ସଂପୃକ୍ତ ଯାତ୍ରୀଙ୍କୁ ପ୍ଲାଟ୍‌ଫର୍ମରେ ଓହ୍ଲାଇ ଦିଆଗଲା । ମାତ୍ର ସେତେବେଳକୁ ଯାତ୍ରୀଙ୍କ ଶ୍ୱାସକ୍ରିୟା ବନ୍ଦପ୍ରାୟ ହୋଇଗଲା । ସୂଚନା ପାଇବା ମାତ୍ରେ ଆରପିଏଫ୍‌ ସିପାହୀ ଅଶୋକ କୁମାର ସେଠାରେ ପହଂଚିଗଲେ ।

ପୀଡ଼ିତଙ୍କ ପାଟିରେ ପାଟି ଲଗାଇ ଫୁଙ୍କିବା ପାଇଁ ମୃତ୍ୟୁ ସହିତ ଲଢ଼ୁଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ କହିଲେ । କାଳବିଳମ୍ବ ନକରି ପତ୍ନୀ ତାଙ୍କ ସ୍ୱାମୀଙ୍କ ପାଟିରେ ପାଟି ଲଗାଇ ୩୩ ସେକେଣ୍ଡ ପାଇଁ ସିପିଆର ଦେଲେ । ସିପାହୀଜଣକ ନିଜେ ପୀଡ଼ିତଙ୍କ ହାତ ରଗଡ଼ିଲେ । ଛାତିକୁ ପମ୍ପିଂ କଲେ । ଜୀବନ-ମୃତ୍ୟୁ ମଧ୍ୟରେ ଚାଲିଥିବା ସଂଘର୍ଷର ଭିଡିଓ ଏବେ ଭାଇରାଲ୍‌ ହୋଇଛି । ଘଟଣାଟି ମଥୁରା ଷ୍ଟେସନରେ ଘଟିଛି ।
ପୀଡ଼ିତ ବ୍ୟକ୍ତିଜଣକ ହେଉଛନ୍ତି ୬୭ ବର୍ଷୀୟ କେଶବ । ସେ କୋଇମ୍ବାଟୁର ଟ୍ରେନ୍‌ରେ ପତ୍ନୀଙ୍କ ସହିତ ଦିଲ୍ଲୀରୁ କୋଝିକୋଡେ଼ ଯାତ୍ରା କରୁଥିଲେ । ଅଚାନକ କେଶବଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା । ସହଯାତ୍ରୀମାନେ ତାଙ୍କୁ ମଥୁରା ଷ୍ଟେସନରେ ଓହ୍ଲାଇ ଦେଇ ଆପଣା ବାଟରେ ଚାଲିଗଲେ ।