ଥାନା ପରିସରରେ ମଧ୍ୟ ନାବାଳିକା ଅସୁରକ୍ଷିତ

ଦୁଷ୍କର୍ମ ଉଦ୍ୟମ କରି ସବ୍‌-ଇନ୍ସପେକ୍ଟର ଗିରଫ…..

ପାଟନା: ବିହାରର ଗୋପାଲଗଞ୍ଜ ଜିଲ୍ଲାରେ ଜଣେ ସବ୍‌ ଇନ୍ସପେକ୍ଟରଙ୍କୁ ଗିରଫ କରାଯାଇଛି । ଥାନା ପରିସର ଭିତରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିବାର ଅଭିଯୋଗ ତାଙ୍କ ମୁଣ୍ଡରେ ଲାଗିଛି । ଗୋପାଲଗଞ୍ଜ ପୁଲିସ ଅଧୀକ୍ଷକ ଆନନ୍ଦ କୁମାରଙ୍କ ସୂଚନା ମୁତାବକ ଅଭିଯୁକ୍ତ ସବ୍‌ ଇନ୍ସପେକ୍ଟରଙ୍କ ନାମ ବିଏନ୍‌ ପ୍ରସାଦ । ତାଙ୍କ ବିରୋଧରେ ପକ୍‌ସୋ ଆଇନ୍‌ ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ସୂଚନା ମୁତାବକ, ଥାନା ପରିସର ଭିତରେ ଥିବା କ୍ୱାର୍ଟର ଭିତରୁ ଗୋଟିକରେ ଅଭିଯୁକ୍ତ ପ୍ରସାଦ ରୁହନ୍ତି । ସେ ରୋଷେଇବାସ ପାଇଁ ଜଣେ ଘରୋଇ ଚାକରକୁ ନିଯୁକ୍ତ କରିଛନ୍ତି । ଶନିବାର ଘରୋଇ ଚାକର ଅସୁସ୍ଥ କାରଣରୁ ଛୁଟିରେ ରହିଥିଲେ । କିନ୍ତୁ ଘର ମାଲିକଙ୍କ କଥା ରକ୍ଷା କରି ବାସନଗୁଡ଼ିକ ସଫା କରିବା ପାଇଁ ତାଙ୍କ ଝିଅକୁ ପଠାଇଥିଲେ । ନାବାଳିକା ଜଣକ ବାସନ ମାଜୁଥିବା ସମୟରେ ଅଭିଯୁକ୍ତ ପ୍ରସାଦ ତାଙ୍କ ପ୍ରତି ଅସଦ୍‌ ବ୍ୟବହାର ପ୍ରଦର୍ଶନ କରିଥିଲେ । ଝିଅଟି ଅତିଷ୍ଠ ହୋଇ ଅଧାକାମରୁ ପଳାଇବା ପାଇଁ ଉଦ୍ୟମ କରିବାରୁ ପ୍ରସାଦ ତାଙ୍କୁ ଟାଣିନେଇ ଘର ଭିତରକୁ ଚାଲି ଯାଇଥିଲେ ଓ ଦୁଷ୍କର୍ମ ଉଦ୍ୟମ କରିଥିଲେ ।

ଝିଅଟି କୌଣସିମତେ ସତର୍କଘଂଟି ବଜାଇଥିଲେ । ଫଳରେ ପଡୋଶୀ ଘରୁ ଅନ୍ୟ ପୁଲିସ କର୍ମଚାରୀମାନେ ପ୍ରସାଦଙ୍କ ଘରକୁ ଧାଇଁ ଆସିଲେ । ଅନ୍ୟ ଉପାୟ ନପାଇ ଅଭିଯୁକ୍ତ ପ୍ରସାଦ ସେଠାରୁ ଥାନାକୁ ପଳାଇଥିଲେ । ତହୁଁ ପୀଡ଼ିତା ଉପସ୍ଥିତ ପୁଲିସ କର୍ମଚାରୀଙ୍କ ଆଗରେ ସବୁ ଘଟଣା କହିଥିଲେ । ଝିଅଟି ଘରେ ପହଂଚି ତାଙ୍କ ମା’ଙ୍କ ଆଗରେ ସବୁ ଘଟଣା କହିଥିଲେ । ଉଭୟ ମା’ ଓ ଝିଅ ଥାନାରେ ପହଂଚି ଅଭିଯୁକ୍ତ ପ୍ରସାଦ ବିରୋଧରେ ଅଭିଯୋଗ କରିଥିଲେ ।