ଅଂଟି ଛୁରୀ ତଂଟି କାଟେ: ଆତଙ୍କୀ ସଂଗଠନ କବ୍ଜାରେ ପାକ୍ମନ୍ତ୍ରୀ
ଆତଙ୍କବାଦୀଙ୍କ ଏନ୍ତୁଡ଼ିଶାଳ ପାକିସ୍ତାନରେ ଆତଙ୍କୀଙ୍କ କବ୍ଜାରେ ….
ଇସ୍ଲାମାବାଦ: ଆତଙ୍କବାଦୀଙ୍କ ଏନ୍ତୁଡ଼ିଶାଳ ପାକିସ୍ତାନରେ ଆତଙ୍କୀଙ୍କ କବ୍ଜାରେ ଅଛନ୍ତି ଜଣେ ବରିଷ୍ଠ ମନ୍ତ୍ରୀଙ୍କ ସମେତ ଅନେକ ପର୍ଯ୍ୟଟକ । ପାକିସ୍ତାନର ବିଭିନ୍ନ ଜେଲରେ ବନ୍ଦୀ ରହିଥିବା କିଛି ସାଥୀଙ୍କ ମୁକ୍ତି ଦାବି କରି ଆତଙ୍କୀ ସଂଗଠନ ଏପରି ପଦକ୍ଷେପ ଗ୍ରହଣ କରିଛି । ସଶସ୍ତ୍ର ଆତଙ୍କୀମାନେ ପାକିସ୍ତାନର ଖାଇବର ପଖ୍ତୁନ୍ଖୁଆ (କେପି) ଅନ୍ତର୍ଗତ ଗିଲଗିଟ୍ ବଲ୍ଟିସ୍ତାନକୁ ସଂଯୋଗ କରୁଥିବା ପ୍ରଧାନ ରାସ୍ତାଗୁଡ଼ିକୁ କବ୍ଜା କରିଛନ୍ତି ।
ଆତଙ୍କୀମାନେ ଯେଉଁ ଆତଙ୍କୀଙ୍କ ମୁକ୍ତି ଦାବି କରିଛନ୍ତି, ସେମାନେ ନଙ୍ଗା ପର୍ବତରେ କିଛି ପର୍ଯ୍ୟଟକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ତା’ ସହିତ ଆହୁରି କିଛି ଜଘନ୍ୟ ହତ୍ୟାକାଣ୍ଡରେ ସଂପୃକ୍ତ ବୋଲି ପାକିସ୍ତାନରୁ ପ୍ରକାଶିତ ‘ଡନ୍’ ସମ୍ବାଦପତ୍ର ସୂତ୍ରରୁ ପ୍ରକାଶ । ଆତଙ୍କୀମାନେ ପଠାଇଥିବା ଏକ ଭିଡିଓରେ ବରିଷ୍ଠ ମନ୍ତ୍ରୀ ଅବଦୁଲ୍ଲା ବେଗ କହିଛନ୍ତି ଯେ ସେ ଓ କିଛି ବିଦେଶୀ ପର୍ଯ୍ୟଟକ ଗିଲଗିଟ୍ ଅଭିମୁଖେ ଯାଉଥିବା ସମୟରେ ଆତଙ୍କୀମାନେ ରାସ୍ତା କବ୍ଜା କରି ସେମାନଙ୍କ ଗାଡ଼ିକୁ ଅପହରଣ କରିନେଇଛନ୍ତି ।
ଆତଙ୍କୀମାନେ କ୍ରୀଡ଼ାକ୍ଷେତ୍ରରେ ପାକ୍ ମହିଳାଙ୍କ ଯୋଗଦାନକୁ ବନ୍ଦ କରିବାକୁ କହିଛନ୍ତି । କ୍ରୀଡ଼ା ପ୍ରତି ଆଗ୍ରହ ରଖୁଥିବା ମୁସଲିମ୍ ମହିଳାଙ୍କ ବିରୋଧରେ ଇସଲାମ୍ ଦଣ୍ଡବିଧି ଲାଗୁ ଦାବି କରିଛନ୍ତି ।
ବାସ୍ତବ ଘଟଣା ହେଉଛି; ଶୁକ୍ରବାର ପାକିସ୍ତାନ ସିନେଟ୍ ତେହେରିକ୍-ଏ-ତାଲିବାନ୍ ପାକିସ୍ତାନ୍ (ଟିଟିପି) ଆତଙ୍କୀ ସଂଗଠନ ଉପରେ କଡ଼ା ନଜର ରଖିବା ପାଇଁ ନିଷ୍ପତି ନେବାରୁ ଉକ୍ତ ସଂଗଠନ ପ୍ରତିଶୋଧ ପରାୟଣ ନୀତି ଅବଲମ୍ବନ କରିଛି । ଆଲୋଚନା କାଳରେ ସିନେଟର୍ ରଜା ରବ୍ବାନୀ କହିଥିଲେ ଯେ ଆତଙ୍କୀ ସଂଗଠନ ସହିତ ଶାନ୍ତିପୂର୍ଣ୍ଣ ଆଲୋଚନା କରାଯିବା ଦରକାର । ତା’ନହେଲେ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ । ମାତ୍ର ଆତଙ୍କୀ ସଂଗଠନ ସହିତ କୌଣସି ପ୍ରକାର ଆଲୋଚନାକୁ ପାକିସ୍ତାନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଗ୍ରାହ୍ୟ କରିଥିଲା ।