ପାଟନା: ବିହାରର ପଶ୍ଚିମ ଚମ୍ପାରନ୍ ଅନ୍ତର୍ଗତ ବଗହା ଇଲାକାରେ ଗୋଟିଏ ମଣିଷଖିଆ ବାଘକୁ ମାରି ଦିଆଯାଇଛି । ବିଗତ ୬ ମାସ ଭିତରେ ୧୦ ଜଣ ଲୋକ ବାଘ ହାବୁଡ଼ରେ ପଡ଼ିଥିଲେ । ବାଘ ଆକ୍ରମଣରେ ୯ ଜଣ ପ୍ରାଣ ହରାଇ ଥିଲାବେଳେ ଜଣେ ସାରା ଜୀବନ ପାଇଁ ପଙ୍ଗୁ ହୋଇଯାଇଛନ୍ତି । ବାଘ ଭୟରେ ସଂପୃକ୍ତ ଅଂଚଳରେ ତାଟିକବାଟ ପଡ଼ି ଯାଉଥିଲା ।
ସଂଜ ହେବାପରେ କେହି ଘରୁ ବାହାରୁ ନଥିଲେ । ଏପରିକି ଘର ଭିତରେ ଝାଡ଼ା ଓ ପରିସ୍ରା ପାଇଁ ବନ୍ଦୋବସ୍ତ କରୁଥିଲେ । ଶୁକ୍ରବାର ସକାଳେ ଗୋବର୍ଦ୍ଧନ ଥାନା ଅନ୍ତର୍ଗତ ଡୁମରୀ ଅଂଚଳରେ ୩୫ ବର୍ଷୀୟ ସଂଜୟ ମହତୋଙ୍କୁ ବାଘ ଶିକାର କରିଥିଲା । ପରେପରେ ବାଲ୍ମିକି ବ୍ୟାଘ୍ର ଅଭୟାରଣ୍ୟ ଭିତରେ ଥିବା ବଳୁଆ ଗ୍ରାମର ଜଣେ ୩୫ ବର୍ଷୀୟା ମହିଳାଙ୍କୁ ବାଘ ଆକ୍ରମଣ କରି ମାରିଦେଲା ।
ସଂପୃକ୍ତ ମହିଳାଙ୍କର ୧୦ ବର୍ଷର ପୁଅକୁ ମଧ୍ୟ ବାଘ ମାରି ଖାଇଦେଲା । ବନ ବିଭାଗ କର୍ମଚାରୀ ଓ ପୁଲିସର ବାରଣ ସତ୍ୱେ ସଂପୃକ୍ତ ମହିଳା ପୁଅକୁ ଧରି ଘାସ କାଟିବା ପାଇଁ ଜଙ୍ଗଲକୁ ଯାଇଥିଲେ । ଗୁରୁବାର ଘର ଭିତରେ ପଶି ବାଘଟି ଗୋଟିଏ ୧୨ ବର୍ଷର ଝିଅକୁ ପାଟିରେ ଧରି ଜଙ୍ଗଲକୁ ପଳାଇଥିଲା ।
ବାଘକୁ ଅନୁସରଣ କରି ଗ୍ରାମବାସୀମାନେ ଜଙ୍ଗଲ ଭିତରକୁ ଯାଇ ଝିଅଟିର ମୃତଦେହକୁ ପାଇଥିଲେ । ମଣିଷ ରକ୍ତ ଚାଖିବା ପରେ ବାଘଟି ଦିନକୁ ଦିନ ହିଂସ୍ର ପାଲଟି ଯାଇଥିଲା । ମଣିଷଖିଆ ଦାଉରୁ ସୃଷ୍ଟି ହୋଇଥିବା ଉଦ୍ବେଗଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଘଟିକୁ ଜୀବନରୁ ମାରିଦେବା ପାଇଁ ରାଷ୍ଟ୍ରୀୟ ବାଘ ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ଅନୁମତି ଦେଇଥିଲେ ।