ନବୀନଙ୍କ ଚକ୍ରବ୍ୟୁହରେ ପଶିପାରିବେନି ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ନିକଟରେ ବିଜେପି ଜିତିବାର ସମ୍ଭାବନା ନାହିଁ…..

ଭଦ୍ରକ: ଧାମନଗର ଉପନିର୍ବାଚନରେ ବିଜେପିକୁ ଜିତାଇବାର କୌଶଳ ଧର୍ମେନ୍ଦ୍ରଙ୍କୁ ମାଲୁମ ନାହିଁ ବୋଲି ଏନ୍‌ୟୁବିସି ନେତା ସୀତାରାମ ବେହେରା କହିଛନ୍ତି । ଗୋଟିଏ ନ୍ୟୁଜ ସଂସ୍ଥାକୁ ସୂଚନା ଦେଇ ସୀତାରାମ କହିଛନ୍ତି, ନବୀନଙ୍କ ଚକ୍ରବ୍ୟୁହ ଭେଦ କରିବାର କୌଶଳ ଧର୍ମେନ୍ଦ୍ରଙ୍କୁ ଜଣାଥିଲେ, ଏତେ ବର୍ଷ ଧରି ରାଜ୍ୟ ବାହାରେ ବୁଲୁ ନଥାନ୍ତେ । ମୋଦୀଙ୍କ ବଳରେ ବଳିୟାନ୍‌ ହୋଇ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଭିତରେ ବୁଲୁଛନ୍ତି ।

ଦିବଗଂତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅକୁ ଜିତାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେଷ୍ଟା କଲେ ମଧ୍ୟ ନବୀନଙ୍କ ସାମ୍ନାରେ ହାରିଯିବେ । ଓଡ଼ିଶାର ଭୋଟର ଟଙ୍କିକିଆ ଚାଉଳ ପାଉଥିବା ପର୍ଯ୍ୟନ୍ତ ମୋଦୀ ମ୍ୟାଜିକ୍‌ କାମ କରିବନି । ବିଶେଷ କରି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌, ଖାଇବା ତେଲ, ଅଟା, ଡାଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଉପରେ ଲଗାମ୍‌ କଷିବାକୁ ମୋଦୀ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଦିନେ ନାହିଁ କାଳେ ନାହିଁ, ନିର୍ବାଚନ ବେଳେ ହାଇଁପାଇଁ ବିଜେପି ନେତାଙ୍କୁ କୋଉ ଭୋଟର କ’ଣ ପାଇଁ ବିଶ୍ୱାସ କରିବ ବୋଲି ସୀତାରାମ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ନିକଟରେ ବିଜେପି ଜିତିବାର ସମ୍ଭାବନା ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜାଣି ସାରିଛନ୍ତି । ଲୋକହସାରୁ ବଂଚିବା ପାଇଁ ବିଜେପି ନାମକୁ ମାତ୍ର ଉପନିର୍ବାଚନ ଲଢ଼ୁଛି ବୋଲି ଏନ୍‌ୟୁବିସି କହିଛି ।