ଭାରତରେ କରୋନାର ନୂଆ ଅବତାର

ଜନଗହଳିକୁ ପ୍ରତ୍ୟାଖ୍ୟାନ, ମୁଖାଧାରଣକୁ ଭୁଲନ୍ତୁ ନାହିଁ….

ନୂଆଦିଲ୍ଲୀ: କରୋନାରୁ ଓମିକ୍ରନ, ଓମିକ୍ରନରୁ ବିଏଫ୍‌.୭ ଓ ବିଏ.୫.୧.୭ । କରୋନା ଭୂତାଣୁ ଆଉ ଲୋପ ପାଇବାର ଆଶା ନାହିଁ । ସମୟ ସହ ତାଳ ଦେଇ କରୋନା ଭିନ୍ନ ଭିନ୍ନ ଅବତାର ନେଇ ଲୋକଙ୍କ ନିକଟବର୍ତୀ ହେବ । କିଛି ସମୟ ପାଇଁ ପ୍ରାଣୀସମାଜକୁ କଷ୍ଟ ଯନ୍ତ୍ରଣା ଦେଇ ଚାଲି ଯାଉଥିବ । ଚୀନ ଲାବରୁ ଜନ୍ମଲାଭ କରିଥିବା ମାରାତ୍ମକ କରୋନା ଭୂତାଣୁ ସାରା ବିଶ୍ୱକୁ ଦଖଲ କରିଛି । ତେଣୁ ତା’ର ଭିନ୍ନ ଭିନ୍ନ ଅବତାର ପ୍ରତି ସାରା ବିଶ୍ୱବାସୀ ସତର୍କ ରହିବା ଜରୁରୀ ।

କରୋନାର ପ୍ରତ୍ୟେକ ରୂପକୁ ଦବାଇବା ଭଳି କୌଣସି ଟୀକା ବାହାରିନାହିଁ । ରୁଷିଆର ସ୍ପୁଟ୍‌ନିକ୍‌ ନିକଟରେ କରୋନାର ଆଗାମୀ ଅବତାରକୁ ମୁକାବିଲା କରିବାର ଶକ୍ତି ନାହିଁ । କରୋନାର ପ୍ରତ୍ୟେକ ଅବତାରକୁ ସାମ୍ନା କରିବା ଭଳି ଅସ୍ତ୍ର ହେଉଛି ସଚେତନତା । ବାହାରୁ ଘରକୁ ପ୍ରବେଶ କରିବା ପୂର୍ବରୁ ଗରମ ପାଣିରେ ଗୋଡ଼ହାତକୁ ଭଲ ଭାବରେ ଧୋଇବା, ସାନିଟାଇଜର ବ୍ୟବହାର କରିବା, ଜନଗହଳି ସ୍ଥାନଠାରୁ ଦୂରେଇ ରହିବା, ଘରୁ ବାହାରକୁ ଗୋଡ଼ କାଢ଼ିବା ପୂର୍ବରୁ ମୁଖାଧାରଣ କରିବା । ଏହି ସତର୍କତା ଅବଲମ୍ବନ କଲେ, କରୋନାର ଦଶ ଅବତାର ପାଖରେ ପଶିବ ନାହିଁ ।

ସୂଚନା ମୁତାବକ, କରୋନାର ନୂଆ ଅବତାର ଏବେ ଚୀନର ବହୁ ସହରକୁ ଗିଳିବା ଆରମ୍ଭ କରିଛି । କରୋନାର ବିଏଫ୍‌.୭ ଓ ବିଏ.୫.୧.୭ ଅବତାର ଏବେ ବିଶ୍ୱର ବହୁ ରାଷ୍ଟ୍ରକୁ ଅଥୟ କଲାଣି । ଭାରତର କିଛି ପଶ୍ଚିମ ଓ ଦକ୍ଷିଣ ରାଜ୍ୟରେ ବିଏଫ୍‌.୭ ଓ ବିଏ.୫.୧.୭ ପାଦ ଦେଇଛି । ଲକ୍‌ଡାଉନ୍‌ ଓ ପ୍ରତିବନ୍ଧକ ଭଳି ଯାବତୀୟ କଟକଣାରୁ କ୍ଷାନ୍ତ ହେବାକ୍ଷଣି ସାରା ଭାରତ ଉତ୍ସବମୁଖର ହୋଇଛି । ସାରା ଦେଶବାସୀ ବହୁ ଆନନ୍ଦର ସହିତ ପବିତ୍ର ଦଶହରା, ମହାଳୟା ପାଳନ କଲେ ।

ଆଗକୁ ଦୀପାବଳି, ଧନତେରସ୍‌, ଗୋବର୍ଦ୍ଧନ ପୂଜା ଓ ଭାଇଦୁଜ ଭଳି ପର୍ବ ପାଳନ କରାଯିବ । ତେଣୁ ଏସବୁ ପର୍ବପାଳନ ସମୟରେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଲୋକମାନେ ମାସ୍କଧାରଣକୁ ଭୁଲିଯିବା ଉଚିତ ନୁହେଁ । କରୋନାର କୌଣସି ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଏକାନ୍ତବାସରେ ରହିବା ଉଚିତ । ଟୀକାକରଣ ସତ୍ୱେ ସମସ୍ତେ ସତର୍କତା ଅବଲମ୍ବନ କରିବା ଦରକାର ।

ଏନ୍‌ଟିଏଜିଆଇ ଅଧ୍ୟକ୍ଷ ଡାକ୍ତର ଏନ୍‌କେ ଅରୋରା କହନ୍ତି, ଏବେ ମଧ୍ୟ ଆମ ଆଖପାଖରେ କରୋନା ଭୂତାଣୁ ଛପିରହିଛି । ତେଣୁ ଆଗାମୀ ୩/୪ ସପ୍ତାହ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । କରୋନାର ନାନା ପ୍ରତିରୂପ ଏବେ ମଧ୍ୟ କିଛି ଦେଶକୁ କଲବଲ କରୁଛି । ଆମ ସରକାର ଲକ୍‌ଡାଉନ୍‌ ହଟାଇଥିଲେ ମଧ୍ୟ ଆମକୁ ସବୁବେଳେ ସତର୍କ ରହିବାକୁ ପଡ଼ିବ । କରୋନାର କେଉଁ ଅବତାର ଆମକୁ କେତେବେଳେ କୋଉଠି ଆକ୍ରମଣ କରିବ; ତାହାର ପୂର୍ବାନୁମାନ କଷ୍ଟକର ।