କେଦାରନାଥ: ମଙ୍ଗଳବାର କେଦାରନାଥରେ ଭକ୍ତଙ୍କୁ ଧରି ଯାଉଥିବା ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଛି । ଫଳରେ ପାଇଲଟଙ୍କ ସମେତ ୭ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଘନ କୁହୁଡ଼ି ଓ ପାଗ ଖରାପ କାରଣରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେଲା ବୋଲି ଶୁଣିବାକୁ ମିଳୁଛି । ଘନ କୁହୁଡ଼ି କାରଣରୁ ହେଲିକପ୍ଟରଟି ଅବତରଣ କରୁଥିବା ସମୟରେ ଭୂମିରେ ପିଟି ହୋଇଗଲା । ଇଞ୍ଜିିନରେ ନିଅାଁ ଲାଗିଗଲା । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ବେଲ କମ୍ପାନୀର ହୋଇଥିଲା ବେଳେ ଆର୍ଯ୍ୟନ୍ ଏଭିଏସନ୍ ତାକୁ ପରିଚାଳନା କରୁଥିଲା ।
ସୂଚନା ମୁତାବକ ହେଲିକପ୍ଟରଟି ମଙ୍ଗଳବାର ସକାଳ ପ୍ରାୟ ୧୧ଟା ୨୫ ମିନିଟରେ କେଦାରନାଥସ୍ଥିତ ଘାଟିରୁ ନାରାୟଣ କୋଟି-ଗୁପ୍ତକାଶୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ୧୫ ମିନିଟ୍ ପରେ ଗରୁଡ଼ଚଟି ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ସମୟର କିଛି ଫୁଟେଜ ଓ ଭିଡିଓ ସାମ୍ନାକୁ ଆସିଛି ।
ଉକ୍ତ ଭିଡିଓରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଟୁକୁଡ଼ା, ନିଅାଁ ଓ ସ୍ଥାନୀୟ ଲୋକମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଛି । ଏହି ଖବର ଶୁଣିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିଛନ୍ତି । ପ୍ରାଣ ହରାଇଥିବା ଭକ୍ତଙ୍କ ନାମ ପୂର୍ବା ରାମାନୁଜ, କୃତି ବ୍ରାଡ୍, ଉର୍ବି, ସୁଜାତା, ପ୍ରେମ କୁମାର, କଳା ଓ ପାଇଲଟ୍ ଅନିଲ ସିଂହ । ସେମାନଙ୍କ ଭିତରୁ ପୂର୍ବା, କୃତି, ଉର୍ବି ଗୁଜରାଟର ବାସିନ୍ଦା ହୋଇଥିଲା ବେଳେ ପାଇଲଟ୍ ଅନିଲ ମହାରାଷ୍ଟ୍ରର । ଅନ୍ୟ ତିନିଜଣ ତାମିଲନାଡୁର । କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ।
ଆମେ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ ରକ୍ଷା କରି ଦୁର୍ଘଟଣାର ଆକଳନ କରୁଛୁ । ସ୍ଥାନୀୟ ପୁଲିସ ଓ ଏସ୍ଡିଆରଏଫ୍ ଟିମ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ସୂଚନାଯୋଗ୍ୟ, ୨୦୧୩ ଜୁନ ୨୫ ତାରିଖରେ କେଦାରନାଥରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣା ସବୁଠାରୁ ଭୟଙ୍କର ଥିଲା । ବନ୍ୟା ବିଭୀଷିକାରୁ ବିପନ୍ନଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସେନା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟ୍, ସହପାଇଲଟ୍ଙ୍କ ସମେତ ୨୦ ଯବାନ୍ ସହିଦ ହୋଇଥିଲେ ।