ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଟି-୨୦ ସିରିଜ ବିଜୟୀ
ଅନ୍ତିମ ଓଭର ପକାଇ ହର୍ଷଦ ପଟେଲ ଟିମ୍ ଇଣ୍ଡିଆକୁ ବିଜୟର ଦ୍ୱାରଦେଶରେ ପହଂଚାଇ ଥିଲେ….
ନୈପିୟର: ବର୍ଷା କାରଣରୁ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦ ଅମୀମାଂସିତ ଭାବେ ଶେଷ ହୋଇଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ୧୯.୪ ଓଭରରେ ୧୬୦ ରନ୍ କରିଥିଲା । ଡେଭୋନ କାନୱେ ବ୍ୟକ୍ତିଗତ ଭାବେ ସର୍ବାଧିକ ୫୯ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଗ୍ଲେନ୍ ଫିଲିପ୍ସ ୫୪ ରନ୍ କରିଥିଲେ । ଟିମ୍ ଇଣ୍ଡିଆ ବୋଲର ଅର୍ଶଦୀପ ସିଂହ ଓ ମୋହମ୍ମଦ ସିରାଜ ୪-୪ ୱିକେଟ୍ ନେଇଛନ୍ତି ।
ନ୍ୟୁଜିଲାଣ୍ଡର ଶେଷ ସାତୋଟି ୱିକେଟ୍ ମାତ୍ର ୧୪ ରନ୍ କରି ପଡ଼ିଆରୁ ବିଦାୟ ନେଇଥିଲେ । ଜବାବରେ ଟିମ୍ ଇଣ୍ଡିଆ ୯ ଓଭରରେ ୪ ୱିକେଟ୍ ହରାଇ ୭୫ ରନ୍ କରିଥିଲା । ତା’ପରେ ବର୍ଷା ଆରମ୍ଭ ହୋଇଗଲା । ଗୋଟିଏ ବି ବଲ୍ ଖେଳା ନଯିବା କାରଣରୁ ତୃତୀୟ ଟି-୨୦ ମ୍ୟାଚକୁ ଟାଇ ଘୋଷଣା କରି ଦିଆଗଲା । ଫଳରେ ଟିମ୍ ଇଣ୍ଡିଆ ୧-୦ ବ୍ୟବଧାନରେ ସିରିଜ ବିଜୟୀ ଘୋଷିତ ହୋଇଛି ।
ଅର୍ଶଦୀପ ଦ୍ୱିତୀୟ ଓଭରର ତୃତୀୟ ବଲରେ ଫିନ୍ ଏଲନଙ୍କୁ ଏଲ୍ବିଡବ୍ଲ୍ୟୁ ଆଉଟ୍ କଲେ ।
ଏଲନ୍ ମାତ୍ର ଚାରିଟି ବଲକୁ ସାମ୍ନା କରି ୩ ରନ୍ ସଂଗ୍ରହ କରିଥିଲେ । ନ୍ୟୁଜିଲାଣ୍ଡର ଦ୍ୱିତୀୟ ୱିକେଟ୍ ଭାବେ ମାର୍କ ଚାପମେନଙ୍କୁ ଆଉଟ୍ କରିଥିଲେ ମହମ୍ମଦ ସିରାଜ । ଚାପମେନ୍ ୧୨ଟି ବଲରୁ ୧୨ ରନ୍ କରିଥିଲା ବେଳେ ଅର୍ଶଦୀପ ତାଙ୍କର ବଲଟି ଧରି ନେଇଥିଲେ । ଗ୍ଲେନ୍ ଫିଲିପ୍ସ ୩୩ଟି ବଲରୁ ଧୂଅାଁଧାର ୫୪ ରନ୍ କରି ସିରାଜଙ୍କ ଦ୍ୱାରା ଆଉଟ୍ ହେଲେ ।
ସେହିପରି ଡେଭୋନ୍ କାନୱେ ୪୯ଟି ବଲରୁ ୫୯ ରନ୍ କରି ଅର୍ଶଦୀପଙ୍କ ଶିକାର ହେଲେ । ଅର୍ଶଦୀପ ୧୯ତମ ଓଭରର ପ୍ରଥମ ତିନୋଟି ବଲରେ ତିନୋଟି ୱିକେଟ୍ ହାସଲ କରିଥିଲେ । ଅନ୍ତିମ ଓଭର ପକାଇ ହର୍ଷଦ ପଟେଲ ଟିମ୍ ଇଣ୍ଡିଆକୁ ବିଜୟର ଦ୍ୱାରଦେଶରେ ପହଂଚାଇ ଥିଲେ ।