କେନ୍ଦ୍ରର ହଁ’ରେ ଲଟକିଛି ସମଲିଙ୍ଗୀ ବିବାହ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ମୋହର ଲଗାଇବା ଉପରେ କେନ୍ଦ୍ର ସରକାରଙ୍କ ମତାମତକୁ ଅପେକ୍ଷା କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇଛା ବିନା କେନ୍ଦ୍ରରେ ପତ୍ରଟିଏ ହଲେନି । ୨୦୧୯ ଲୋକସଭା ନିର୍ବାଚନରେ ୩୦୦ରୁ ଅଧିକ ଆସନ ପାଇବା ପରେ ବିଜେପି କାଉକୁ ବଗ କହିଚାଲିଛି । ଦେଶର ୧୩୫ କୋଟି ଜନତାଙ୍କୁ ନଚାଇବାର ଦକ୍ଷତା ଦେଖାଇ ପାରିଛନ୍ତି ପ୍ରଧାନମନ୍ତ୍ରୀ ।
ଏମିତି ଏକ ସନ୍ଧିକ୍ଷଣରେ ଲିଭ୍‌-ଇନ୍‌-ରିଲେସନକୁ ଆଇନ ପରିସରଭୁକ୍ତ କରି ସୁପ୍ରିମକୋର୍ଟ ଦେଶର ଯୁବବର୍ଗଙ୍କୁ ଉତୁପାତିଆ କରିପାରିଛନ୍ତି ।

ବିଗତ କିଛିଦିନ ଧରି ଦେଶର ପ୍ରମୁଖ ଖବରକାଗଜରେ ଲିଭ-ଇନ୍‌-ରିଲେସନସିପ୍‌ର କଳଙ୍କିତ ଚେହେରା ଦେଖିବାକୁ ମିଳିଛି । ବିବାହଯୋଗ୍ୟ ବୟସ ହୋଇଯାଇଛି କହି ମୁମ୍ବାଇର ଝିଅ ଶ୍ରଦ୍ଧା ବାପାଙ୍କ ବାରଣକୁ ନମାନି ପ୍ରେମିକକୁ ଧରି ନୂଆଦିଲ୍ଲୀ ଚାଲିଯାଇଥିଲେ ସୁଖର ସଂସାର କରିବାକୁ । ପ୍ରେମିକ ଅଫତାବ ସହିତ ଲିଭ-ଇନ୍‌-ରିଲେସନରେ ଥିବାବେଳେ ଅକଥନୀୟ ଅତ୍ୟାଚାର ପାଉଥିଲେ ମଧ୍ୟ ଭାଗ୍ୟକୁ ଆଦରି ସବୁକିଛି ସହି ଯାଉଥିଲେ ।
ସୁଖର ସଂସାର କରିବା ଚକ୍କରରେ ଅଫତାବ ହାତରେ ଜୀବନ ଦେଲେ ଶ୍ରଦ୍ଧା । ଲିଭ୍‌-ଇନ୍‌-ରିଲେସନ୍‌ର କରୁଣ ପରିଣତି ଦେଖିବା ପରେ ସୁପ୍ରିମକୋର୍ଟ ପୁଣିଥରେ ଲିଭ୍‌-ଇନ୍‌-ରିଲେସନ୍‌ ବିଷୟରେ ଚିନ୍ତା କରିବା ଦରକାର ।

ସମଲିଙ୍ଗି ବିବାହକୁ ଆଇନଗତ ସ୍ୱୀକୃତି ମିଳିଗଲେ, ଦୈନିକ ହଜାର ହଜାର ବିବାଦୀୟ ମାମଲା ଥାନା ଓ ଅଦାଲତରେ ପହଂଚିବ । ବ୍ୟକ୍ତିର ମୌଳିକ ଅଧିକାର ଅକ୍ଷୁର୍ଣ୍ଣ ରଖିବା ଆଳରେ ସାମାଜିକ ପରିବେଶକୁ କଳୁୂଷିତ କରିବା କେତେଦୂର ଗ୍ରହଣଯୋଗ୍ୟ । ତା’ ଉପରେ ଖୋଲା ଆଲୋଚନା ହେବା ଦରକାର ।