ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ପରାଜୟକୁ ଭୁଲିବନି ଭାରତ

ଆଜିର ମ୍ୟାଚରେ ଶାର୍ଦ୍ଦୁଳ ଠାକୁରଙ୍କ ଖରାପ ଫିଲଡିଂ ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କୁ ହତାଶ କରିଛି…

ଅକଲାଣ୍ଡ: ତିନୋଟି ଏକଦିବସୀୟ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚଟି ନ୍ୟୁଜିଲାଣ୍ଡ ସପକ୍ଷରେ ଯାଇଛି । ଟସ୍‌ ହାରି ବ୍ୟାଟିଂକୁ ଓହ୍ଲାଇ ଭାରତ ୭ ୱିକେଟ ବିନିମୟରେ ୩୦୬ ରନ୍‌ କରିଥିଲା । ବିଜୟ ପାଇଁ ୩୦୭ ରନ୍‌ ପିଛା କରି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ୍‌ ଓ ଟସ୍‌ ଲେଥାମ ମିଳିତ ଭାବେ ୪୭.୧ ଓଭରରେ ଦଳକୁ ଜିତାଇଥିଲେ । ଭାରତକୁ ୭ ୱିକେଟରେ ହରାଇ ନ୍ୟୁଜିଲାଣ୍ଡ ବେଶ ଉତ୍ସାହିତ ଅଛି ।

ଏହି ପରାଜୟକୁ ଭାରତ ଭୁଲିବା ଅନୁଚିତ ବୋଲି ଅଧିକାଂଶ କ୍ରିକେଟ୍‌ ପ୍ରେମୀ କହିଛନ୍ତି । କ୍ରିକେଟିୟର ୱାଶିଂଟନ ସୁନ୍ଦରଙ୍କ ଦମଦାର ବ୍ୟାଟିଂ, ଉମରାନ୍‌ ମଲିକଙ୍କ ବୋଲିଂ ବେଗ, ଯୁଜବେନ୍ଦ୍ର ଚହଲଙ୍କର ଖରାପ ଫିଲଡିଂ ସ୍ମରଣୀୟ ହୋଇରହିବ ।

ସୁନ୍ଦରଙ୍କର ୧୬ଟି ବଲରୁ ୩୭ ରନ୍‌:
ଅକଲାଣ୍ଡର ଛୋଟ ବାଉଣ୍ଡାରୀରେ କ୍ରିକେଟିୟର ସୂର୍ଯ୍ୟକୁମାର ଯାଦବ ସେଭଳି କିଛି ଚମକ ଦେଖାଇ ପାରିଲେନି । ମାତ୍ର ୭ ନମ୍ବରରେ ଆସି ୱାଶିଂଟନ ସୁନ୍ଦର ମାତ୍ର ୧୬ଟି ବଲରୁ ତିନୋଟି ଛକା ଓ ତିନୋଟି ଚୌକା ମାରି ବ୍ୟକ୍ତିଗତ ଭାବେ ୩୭ ରନ୍‌ କରିଥିଲେ । ନ୍ୟୁଜିଲାଣ୍ଡର ୪୯ତମ ଓଭର ଶେଷ ତିନୋଟି ବଲରୁ ସୁନ୍ଦର ୧୪ ରନ୍‌ ସାଉଁଟି ପାରିଥିଲେ ।

ଉମରାନଙ୍କ ବୋଲିଂ ଘଂଟାକୁ ୧୫୩.୧ କିମି:
ସେହିପରି ଭାରତ ପାଇଁ ପ୍ରଥମ ଦିନିକିଆ ଖେଳୁଥିବା ବୋଲର ଉମରାନ ମଲିକ ତାଙ୍କର ପ୍ରଥମ ଓଭରର ପହିଲି ଚାରୋଟି ବଲକୁ ଘଂଟା ପ୍ରତି ୧୪୫ କିଲୋମିଟର ବେଗରେ ପକାଇ ଥିଲାବେଳେ ତୃତୀୟ ଓଭରରେ ଘଂଟା ପ୍ରତି ୧୫୩.୧ କିଲୋମିଟର ବେଗରେ ବୋଲିଂ କରି ମ୍ୟାଚର ଦ୍ୱିତୀୟ ଦ୍ରୁତତମ ବୋଲର ଭାବେ ରେକର୍ଡ ରଚିଛନ୍ତି । ପ୍ରଥମ ଦ୍ରୁତତମ ବୋଲର ଭାବେ ନୁୃ୍ୟଜିଲାଣ୍ଡ ବୋଲର ଲକି ଫର୍ଗୁସନ୍‌ ଅଛନ୍ତି । ତାଙ୍କର ବୋଲିଂ ଗତି ଘଂଟା ପ୍ରତି ୧୫୩.୪ କିଲୋମିଟର । ଉମରାନ୍‌ ଟିମ୍‌ ଇଣ୍ଡିଆ ପାଇଁ ଦୁଇଟି ୱିକେଟ୍‌ ଅକ୍ତିଆର କରିଛନ୍ତି । ଦକ୍ଷିଣ ଆଫ୍ରିକା ବୋଲର ଡେଲ ଷ୍ଟେନଙ୍କୁ ଆଦର୍ଶ ମଣୁଥିବା ଉମରାନ ଆଇପିଏଲ୍‌ରେ ଘଂଟା ପ୍ରତି ୧୫୦ କିଲୋମିଟର ବେଗରେ ବୋଲିଂ କରିଥିଲେ । ଗତ ଆଇପିଏଲ୍‌ରେ ଉମରାନ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିବାକୁ ଯାଇ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଘଂଟା ପ୍ରତି ୧୫୭ କିମି ଗତିରେ ବୋଲିଂ କରିଥିଲେ ।

ଶାର୍ଦ୍ଦୁଳଙ୍କର ମହଙ୍ଗା ଓଭର, ୨୫ ରନ୍‌:
ଟିମ୍‌ ଇଣ୍ଡିଆ ବୋଲର ଶାର୍ଦ୍ଦୁଳ ଠାକୁର ୪୦ତମ ଓଭର ପୂର୍ବରୁ ଭଲ ବୋଲିଂ କରିଥିଲେ । ମାତ୍ର ୪୦ତମ ଓଭରରେ ୨୫ ରନ୍‌ ଦେଇ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍‌ ଟମ୍‌ ଲାଥମ ଶାର୍ଦ୍ଦୁଳଙ୍କ ୪୦ ତମ ଓଭରର ପ୍ରଥମ ପାଂଚୋଟି ବଲରୁ ଗୋଟିଏ ଛକା ଓ ଚାରିଟି ଚୌକା ସଂଗ୍ରହ କରିଥିଲେ । ସେହି ଓଭରରେ ଶାର୍ଦ୍ଦୁଳ ଦୁଇଟି ୱାଇଡ୍‌ ବଲ ପକାଇଥିଲେ । ଶେଷ ବଲରୁ ଗୋଟିଏ ରନ୍‌ ସଂଗ୍ରହ କରି ଲାଥମ ତାଙ୍କର ଶତକ ହାସଲ କରିଥିଲେ ।

ଯୁଜଭେନ୍ଦ୍ରଙ୍କର ବେପରୁଆ ଫିଲଡିଂ:
ଶାର୍ଦ୍ଦୁଳ ଠାକୁରଙ୍କ ଓଭରର ପ୍ରଥମ ବଲକୁ ଲେଗ୍‌ ସାଇଡ୍‌କୁ ପେଲି ଦେଇଥିଲେ ବ୍ୟାଟ୍ସମ୍ୟାନ୍‌ ଫିନ୍‌ ଏଲନ୍‌ । ବଲଟି ଉପରକୁ ଉଠି ସିଧା ଯୁଜଭେନ୍ଦ୍ରଙ୍କ ପାଖକୁ ଯାଇଥିଲା । ମାତ୍ର ଯୁଜଭେନ୍ଦ୍ର ସହଜ କ୍ୟାଚ୍‌ଟିକୁ ହାତଛଡ଼ା କରିଥିଲେ ।
ଶାର୍ଦ୍ଦୁଳ ଠାକୁରଙ୍କ ଖରାପ ଫିଲଡିଂ
ଆଜିର ମ୍ୟାଚରେ ଶାର୍ଦ୍ଦୁଳ ଠାକୁରଙ୍କ ଖରାପ ଫିଲଡିଂ ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କୁ ହତାଶ କରିଛି । ଉମରାନଙ୍କ ବଲକୁ ଲାଥମ କଟ୍‌ କରିଥିଲେ । ବଲଟି ସିଧା ଶାର୍ଦ୍ଦୁଳଙ୍କ ପାଖକୁ ଯାଇଥିଲା । ଶାର୍ଦ୍ଦୁଳ ଉକ୍ତ ବଲଟିକୁ ଧରି ପାରିଲେନି । ଫଳରେ ବଲଟି ସିଧା ବାଉଣ୍ଡାରୀ ବାହାରକୁ ଚାଲି ଯାଇଥିଲା ।
ନ୍ୟୁଜିଲାଣ୍ଡର ଫ୍ଲାଇଂ ଫିଲିପ୍ସ:
ମାତ୍ର ଦୁଇସପ୍ତାହ ତଳେ ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଡାଇଭ ମାରି ଶାନଦାର କ୍ୟାଚ୍‌ ନେଇଥିବା ନ୍ୟୁଜିଲାଣ୍ଡ କ୍ରିକେଟିୟର ଗ୍ଲେନ ଫିଲିପ୍ସ ଟିମ୍‌ ଇଣ୍ଡିଆ ବିପକ୍ଷରେ ମଧ୍ୟ ଉଲ୍ଲେଖନୀୟ କ୍ୟାଚ୍‌ ନେଇଛନ୍ତି । ନ୍ୟୁଜିଲାଣ୍ଡର ୪୬ତମ ଓଭରରେ ଆଡମ୍‌ ମିଲନେ ବଲକୁ ଭାରତର ସଂଜୁ ସାମସନ୍‌ ଲେଗ୍‌ ସାଇଡ୍‌କୁ ସଟ୍‌ ମାରିଥିଲେ । ବଲଟି ଉପରକୁ ଉଠିଗଲା । ମଧ୍ୟଭାଗରେ ଠିଆ ହୋଇଥିବା ଫିଲିପ୍ସ ତାକୁ ଚମକ୍ରାର ଭାବେ ତୋଳି ନେଇଥିଲେ । ସାମସନ୍‌ ୩୮ ବଲରୁ ୩୬ ରନ୍‌ କରି ଆଉଟ୍‌ ହୋଇଥିଲେ ।