ଗରିବଙ୍କୁ ୧୪୬ କୋଟିର ଶୀତ ସହାୟତା

ଡିସେମ୍ବର ପହିଲା ସୁଦ୍ଧା ୪୮ଲକ୍ଷ ହିତାଧିକାରୀଙ୍କୁ କମ୍ବଳ କିଣିବା ପାଇଁ ୩୦୦ ଟଙ୍କା ଲେଖାଏ ଶୀତ ସହାୟତା…

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଏବଂ ଗରିବ ଲୋକଙ୍କୁ ଶୀତ ସହାୟତା ଯୋଗାଇବା ସଂପର୍କରେ ଏକ ସମୀକ୍ଷା ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ଗରିବ ଲୋକ ବିଶେଷ କରି ବରିଷ୍ଠ ନାଗରିକ ମାନଙ୍କୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ।

ରାଜ୍ୟରେ ଗରିବ ଲୋକଙ୍କୁ ଶୀତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧୁବାବୁ ପେନସନ ଓ ଜାତୀୟ ପେନସର ଯୋଜନା ହିତାଧିକାରୀଙ୍କୁ କମ୍ବଳ ପାଇଁ ୩ଶହ ଟଙ୍କା ଲେଖାଏଁ ମିଳିବ । ଡିସେମ୍ବର ପହିଲା ସୁଦ୍ଧା ରାଜ୍ୟର ୪୮ଲକ୍ଷ ହିତାଧିକାରୀଙ୍କୁ ଏହି ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ପାଇଁ ମୋଟ ୧୪୬ କୋଟି ଟଙ୍କା ଖର୍ଚ୍ଚ ହେବ ।

ସେହିପରି, ଏଥି ସହ ଖୋଲା ଆକାଶ ତଳେ ଯେପରି କେହି ନରହିବେ, ସେଥିପାଇଁ ଧ୍ୟାନ ଦେବାକୁ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନବୀନ । ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ତଥା ଜିଲ୍ଲାପାଳ ଓ ମ୍ୟୁନିସିପାଲ କର୍ତ୍ତୃପକ୍ଷମାନେ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୫୫ ଯାତ୍ରୀ ଆଶ୍ରୟସ୍ଥଳୀ ଖୋଲାଯାଇତିବା ବେଳେ ଆବଶ୍ୟକସ୍ଥଳେ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ ଘରଗୁଡ଼ିକୁ ମଧ୍ୟ ରାତ୍ରି ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କ ସମେତ 5T ସଚିବ ଭି.କେ ପାଣ୍ଡିଆନ୍‌ ମଧ୍ୟ ଉପସ୍ଥିତ ଥିଲେ ।