ନବୀନଙ୍କ ଭୋଟର ‘ମୋ ପାଇଖାନା’ରେ

ଆମ ଆଦର୍ଶ ମୁଖ୍ୟମନ୍ତ୍ରୀ ବେଶ..

ଭୁବନେଶ୍ୱର: ରାଜ୍ୟର ବହୁ ଗରିବ ଭୋଟର ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଖାନରେ ଜୀବନ କାଟୁଥିବାର ଦେଖିବାକୁ ମିଳୁଛି । ସ୍ଥାନୀୟ ଲୋକପ୍ରତିନିଧି ଓ ସରକାରୀ ଅଧିକାରୀ ସବୁ ଦେଖୁଛନ୍ତି ହେଲେ ନବୀନଙ୍କ ଲୋକ ହୋଇଥିବାରୁ କିଛି କହୁନାହାନ୍ତି । କେମିତି କହିବେ? ନବୀନବାବୁଙ୍କ କୃପା ନମିଳିବା ପର୍ଯ୍ୟନ୍ତ ପାଇଖାନାରେ ରହୁଥିବା ଲୋକଙ୍କୁ ବିଜୁ ପକ୍କାଘର ମିଳିବାର ନାହିଁ ।

ଆମ ଦୃଷ୍ଟିରେ ପଡ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ କଦମଢ଼ି ଗାଁର ୮୦ ବର୍ଷୀୟା ତୁଳସୀ ମୁଣ୍ଡା । ଦୀର୍ଘ ଦୁଇବର୍ଷ ଧରି ପାଇଖାନାଟିକୁ ଆଶ୍ରୟ କରି ପଡ଼ି ରହିଛନ୍ତି । ସ୍ୱାମୀ ମରିଯିବା ପରଠାରୁ ସେ ଏକା । ପିଲାଛୁଆ ନାହାନ୍ତି । ମାଟିଘର ଭାଙ୍ଗିଯିବା ପରେ ସେ ପାଇଖାନାରେ ରହିଛନ୍ତି । ମନେମନେ ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କୁ ଧନ୍ୟବାଦ ଦେଉଛନ୍ତି । ପାଇଖାନାଟି ନଥିଲେ ସେ କୋଉଠି ରହିଥାନ୍ତେ । ନବୀନବାବୁଙ୍କୁ ଧନ୍ୟବାଦ, ଆମ ପ୍ରତି କରୁଣାର ଦୃଷ୍ଟି ପକାଇ ପାଇଖାନାଟିଏ କରି ଦେଇଛନ୍ତି । ରାସନ କାର୍ଡରେ ମାସକୁ ୫ କିଲୋ ଚାଉଳ ପାଇ କୌଣସିମତେ ବଂଚି ଯାଉଛନ୍ତି । ବର୍ଷାଦିନରେ ଠିଆ ଠିଆ ରାତି କଟୁଛି । ଶୀତଦିନରେ ନବୀନବାବୁଙ୍କ ନାମ ଭଜି ଭଜି କାଲୁଆ ଜାଡ଼ କାଟୁଛନ୍ତି ।

ଜାତୀୟ ସ୍ତରରେ ଆମ ଆଦର୍ଶ ମୁଖ୍ୟମନ୍ତ୍ରୀ ବେଶ ପୁରସ୍କାର ସାଉଁଟୁଛନ୍ତି । ହେଲେ ରାଜ୍ୟର ବହୁ ତୁଳସୀ ମୁଣ୍ଡା ପାଇଖାନାରେ ରହୁଛନ୍ତି । ରାଜ୍ୟର ବିକାଶ ଟାଟା ଗ୍ରୁପର ବିକାଶ ପାଲଟିଛି । ମୁଖ୍ୟମନ୍ତ୍ରୀଙ୍କ ପାଣ୍ଡବ ଆଗାମୀ ନିର୍ବାଚନ ପାଇଁ ଲାଗି ପଡ଼ିଛନ୍ତି । ୟା ଭିତରେ ତୁଳସୀ ମୁଣ୍ଡାଙ୍କ ଉପରେ ବିଜେପି, ବିଜେଡି କି କଂଗ୍ରେସ କର୍ମୀଙ୍କର ନଜର ପଡ଼ିନି । ପଡୁଥିଲେ ବି ନିର୍ବାଚନର ପ୍ରସଙ୍ଗ କରିବେ ଭାବି ନିରବ ରହୁଛନ୍ତି । ବାସ୍‌ ଏଇ ଆମର ଗଣତନ୍ତ୍ର ଓ ତା’ର ବିକଟ ଚେହେରା ।