ନବୀନବାବୁଙ୍କ ପେଟକୁ ଯାହା ଯାଇଛି, ଫେରିବା ଅସମ୍ଭବ

ଚୋର ମୁହଁ ଟାଣ: କାହା ସାହସରେ ଦାଦାଗିରି

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସଂଜୀବ ମିତଲଙ୍କର ସରକାରୀ ଟଙ୍କା ହଡ଼ପ କାହାଣୀ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି । ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଇଥିଲା ୩୨ ଲକ୍ଷ ୪୩ ହଜାର ୭୮୩ ଟଙ୍କା । ତକ୍ରାଳୀନ କୁଳପତି ଉକ୍ତ ଟଙ୍କାତକ ସଂପୂର୍ଣ୍ଣ ହଡ଼ପ କରିଥିଲେ । ପୁଅ ଆକାଉଂଟକୁ ୨୫ ଲକ୍ଷ ଓ ପତ୍ନୀ ଆକାଉଂଟକୁ ୪ ଲକ୍ଷ ଚଳୁ କରି ବଳକା ଟଙ୍କା ନିଜେ ମାଡ଼ି ବସିଛନ୍ତି । ବିଶ୍ୱବିଦ୍ୟାଳୟ କତୃପକ୍ଷଙ୍କ ଏକାଧିକବାର ଚିଠିର କୌଣସି ଜବାବ ନଦେଇ କୋଉ ପାଣି କୁଆଡୁକୁ ଯାଉଛି, ତା’ ଉପରେ ନଜର ରଖିଛନ୍ତି । ବାବୁ ବିଜେଡିର କୋଉ ଗୋଟିଏ ନେତାଙ୍କ ପକେଟରେ ପଶିଯାଇଛନ୍ତି ଯେ ନିଜକୁ ଦେବରାଜ ଇନ୍ଦ୍ର ମନେ କରିଛନ୍ତି ।

ଅକ୍ଟୋବର ୨୮ ତାରିଖ ଚିଠିର ଜବାବ ଦେଇଥିଲେ ମଧ୍ୟ ବଳକା ଟଙ୍କା ୩ ଲକ୍ଷ ୪୩ ହଜାର ୭୮୩ ଟଙ୍କା ଫେରାଇବାକୁ ସିଧାସିଧା ମନା କରିଛନ୍ତି । ସବୁଟଙ୍କା ବ୍ୟାଙ୍କରେ ରଖି ସୁଧ ପାଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟକୁ ଫେରାଇବାକୁ ନାରାଜ । ସାଧାରଣ ଲୋକମାନେ ଚୋର ମୁହଁ ଟାଣ କହି ସମାଲୋଚନା କରିଥିଲା ବେଳେ ମିତଲଙ୍କ ସଂସ୍ପର୍ଶରେ ରହିଥିବା ଲୋକମାନେ ମନ ଭିତରେ ଘୁମୁରୁଛନ୍ତି । ମାତ୍ର ଗଣମାଧ୍ୟମ ଆଗରେ କିଛି କହୁନାହାନ୍ତି । ବାବୁ ଫୁଟାଣି ମାରି କହୁଛନ୍ତି ଯେ ସେ ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନରେ ଟଙ୍କାତକ ଖର୍ଚ୍ଚ କରିଛନ୍ତି । ବିଶ୍ୱବିଦ୍ୟାଳୟର ପିଲାମାନେ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ କହୁଛନ୍ତି, ମିତଲଙ୍କ ସମୟରେ ବିଶ୍ୱବିଦ୍ୟାଳୟ ପରିସରରୁ ଗାଣ୍ଡୁଆଏ ଅଳିଆ କଢ଼ାଯାଇଥିବାର ସେମାନେ ଦେଖିନାହାନ୍ତି । ୩ ଲକ୍ଷ ୪୩ ହଜାର କୁଆଡେ଼ ଚଳୁ ହୋଇଗଲା ।

ବିଶ୍ୱବିଦ୍ୟାଳୟର ଉତୁପାତିଆ ପିଲାମାନେ ଗୁଲିଖଟିରେ କଥା ହେଉଛନ୍ତି, କ୍ଷମତାକୁ ଯିବା ପୂର୍ବରୁ ନବୀନବାବୁଙ୍କ ପେଟଟା ଏତେବଡ଼ ନଥିଲା । ଦୀର୍ଘ ୨୫ ବର୍ଷ ଭିତରେ ଓଡ଼ିଶାର ବିକାଶ ହେଉ କି ନହେଉ, ନବୀନବାବୁଙ୍କ ପେଟର ବିକାଶ ଯଥେଷ୍ଟ ଘଟିଛି । ନବୀନବାବୁଙ୍କ ପେଟରେ ଚିଟ୍‌ଫଣ୍ଡ ଟଙ୍କା, ଖଣି ଟଙ୍କା, ‘ମୋ’ ଅକ୍ଷର ଲଗାଯାଇଥିବା ଯେତେକ ଯୋଜନା ଟଙ୍କା ଜମା ହୋଇରହିଛି । ତାରି ଭିତରେ ମିତଲ ବାବୁଙ୍କର ୩ ଲକ୍ଷ ୪୩ ହଜାର ଟଙ୍କା ରହିଯାଇଛି ଯାହାକୁ ବାହାର କରିବାର ଜୁ ମିତଲ ବାବୁଙ୍କ ପାଖରେ ନାହିଁ । ବିଜୁବାବୁଙ୍କ ଭଳି ନବୀନବାବୁଙ୍କ ପେଟକୁ ଥରେ ଯୋଉ ଟଙ୍କା ଯାଏ, ଆଉ ଫେରେନା ।