ଅମିତ-ମୋଦୀଙ୍କ ଚିନ୍ତା ବଢ଼ାଇଲେ ନୀତିଶ-କେଜ୍ରିୱାଲ

ନୂଆଦିଲ୍ଲୀ: ବିଜେପି ଓ କଂଗ୍ରେସ ସହିତ କଡ଼ା କସରତ କରି ଅରବିନ୍ଦ କେଜ୍ରିୱାଲ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ଜାତୀୟ ଦଳ ଭାବେ ପ୍ରତିଷ୍ଠା କରିଦେଲେ । ଜାତୀୟ ରାଜନୀତିରେ ଆପ୍‌ ଏପରି ସମୟରେ ଜାତୀୟ ଦଳ ଭାବେ ମୁଣ୍ଡ ଟେକିଛି ଯାହା ବିଜେପି ପାଇଁ ଏକ ଆହ୍ୱାନ । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଦୟନୀୟ ଅବସ୍ଥାକୁ ଦେଖି ରାହୁଲ ଗାନ୍ଧୀଙ୍କ ପଳାୟନ ଅବତାର ଓ ତା’ର ପରବର୍ତୀ ବିଧାନସଭା ନିର୍ବାଚନ ଉପରେ ଦୃଷ୍ଟିପାତ କଲେ; କଂଗ୍ରେସ ଆଉ ପୂର୍ବାବସ୍ଥାକୁ ଫେରିବା ଅବସ୍ଥାରେ ନାହିଁ । ୨୦୨୪ ଲୋକସଭା ନିର୍ବାଚନଟି ବିଜେପି-ଆପ୍‌ ଭିତରେ ହେବାର ସମ୍ଭାବନା ବହୁତ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୟା’ ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ଦଳକୁ ଜାତୀୟ ଦଳ ସ୍ୱୀକୃତି ପାଇଁ ବଧାଇ ଜଣାଇଛନ୍ତି ।
ଦେଶର ଅଣବିଜେପି ଶାସିତ ସରକାର ଏବେ କଂଗ୍ରେସ ଶିବିର ଛାଡ଼ି ଆପ୍‌ ଗୋଠରେ ଯୋଗ ଦେଇପାରନ୍ତି । ଏ ଯାବତ୍‌ ଜାତୀୟ ରାଜନୀତିରେ ଦୁଇଟି ଗୋଠ ଖେଳୁଥିଲେ । ଏବେ ଆପ୍‌ ନେତୃତ୍ୱରେ ତୃତୀୟ ଗୋଠ ଜାତୀୟ ଗୋଟି ଖେଳିବା ଅସମ୍ଭବ ନୁହେଁ ।

ଯୋଉ ରାଜ୍ୟ ସରକାର ବିଜେପି ଓ କଂଗ୍ରେସ ଗୋଠଠାରୁ ଦୂରେଇ ରହିଛନ୍ତି, ସେମାନେ ଆପ୍‌ ଗୋଠରେ ମିଶିପାରନ୍ତି । ଦେଶବାସୀ ନରେନ୍ଦ୍ର ମୋଦୀଙ୍କଠାରୁ ଦୁଇପାଳି ଚା’ ପିଇ ସାରିଲେଣି । ଆଗାମୀ ଲୋକସଭା ନିର୍ବାଚନରେ ଆପ୍‌ ସଂସଦକୁ ଦଖଲ କରି ନପାରେ; ମାତ୍ର ଭବିଷ୍ୟତରେ ଦଖଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମୟ ସମୟରେ ଏମିତି ଗୋଟିଏ ଗୋଟିଏ ବାକ୍ୟବାଣ ମାରୁଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଛାତି ଥରିଯାଉଛି । ଦୁଇ ପାଳି ପ୍ରଧାନମନ୍ତ୍ରୀ ହେବା ପରେ ତୃତୀୟ ପାଳି ପ୍ରଧାନମନ୍ତ୍ରୀ ହୋଇ ମୋଦୀ ହ୍ୟାଟ୍ରିକ ଅର୍ଜନ କରିବା ମୁଡ୍‌ରେ ଅଛନ୍ତି । କିନ୍ତୁ ନୀତୀଶ-କେଜ୍ରିୱାଲଙ୍କୁ ଏକାଠି ଦେଖିବା ପରେ ତାଙ୍କର ଚିନ୍ତା ବଢ଼ିଯାଇଛି ।
ବିହାର ରାଜନୀତିକୁ ପୁଣି ଯାଦବ ପରିବାର ହାତରେ ଧରାଇ ନୀତୀଶ ଦିଲ୍ଲୀ ଯିବା ଚକ୍କରରେ ଅଛନ୍ତି ବୋଲି କହିବା ଠିକ୍‌ ହେବନି କାରଣ ନୀତୀଶଙ୍କ ଚାଲ ଠଉରାଇବା କଷ୍ଟକର ବ୍ୟାପାର ।