ନୂଆଦିଲ୍ଲୀ: ବିଶାଳ ହ୍ରଦର ୧୩୦୦ ଫୁଟ ଗଭୀରରୁ ପ୍ରାୟ ୮୦୦-୯୦୦ ବର୍ଷ ତଳର ପୁରୁଣା ଜାହାଜ ଠାବ କରିଛନ୍ତି ନରୱେ ଗବେଷକ ମଣ୍ଡଳୀ । ଶତାବ୍ଦୀ ଶତାବ୍ଦୀ ବର୍ଷ ଧରି ପାଣିରେ ବୁଡ଼ି ରହିଥିଲେ ମଧ୍ୟ ଜାହାଜଟିର ଚମକ କୌଣସି ଦିଗରୁ ମଉଳି ନାହିଁ । ମାତ୍ର କେତୋଟି ଲୁହାକଂଟାରେ କଳଙ୍କି ଲାଗିଯାଇଛି ।
ସୂଚନା ମୁତାବକ ନରୱେର ସବୁଠାରୁ ବଡ଼ ହ୍ରଦ ମିଓସା ଗର୍ଭରୁ ଶତାଧିକ ବର୍ଷର ଜାହାଜ ଉଦ୍ଧାର କରାଯାଇଛି । ଜାହାଜର ନିର୍ମାଣ ଶୈଳୀକୁ ଅନୁଧ୍ୟାନ କରି ବିଶେଷଜ୍ଞ ମଣ୍ଡଳୀ କହିଛନ୍ତି ଯେ ଜାହାଜଟି ୧୩୦୦ରୁ ୧୮୦୦ ଶତାବ୍ଦୀ ଭିତରେ ତିଆରି କରାଯାଇଛି । ନରୱେ ବିଶ୍ୱବିଦ୍ୟାଳୟ ନେତୃତ୍ୱରେ ଆରମ୍ଭ ମିଶନ ମିଓସା ପ୍ରୋଜେକ୍ଟର ଅସଲ ଉଦ୍ଦେଶ୍ୟ ପୂରଣ ହୋଇଛି ବୋଲି ମିଶନ ମୁଖ୍ୟ ସ୍ପଷ୍ଟ କରିଛନ୍ତି । ମିଶନର ଉଦ୍ଦେଶ୍ୟ ଥିଲା ୩୬୩ ବର୍ଗ କିମି ବିସ୍ତୃତ ଜଳରାଶିର କାଚକେନ୍ଦୁ ପାଣି । ହ୍ରଦରେ ବହୁ ଶାଖାନଦୀ ତଥା ସାମୁଦ୍ରିକ ଜଳରାଶି ମିଶୁଥିଲେ ମଧ୍ୟ ତା’ର ନିର୍ମଳ ଜଳ ଅନେକଙ୍କୁ ବିସ୍ମିତ କରିଛି । ହ୍ରଦଟିର ଗର୍ଭରେ ଏଭଳି କି ରସାୟନ ରହିଛି ଯାହାର ସଂସ୍ପର୍ଶରେ ଯାବତୀୟ ଦୂଷିତ ଜଳ ପ୍ରଭାବଶୂନ୍ୟ ହୋଇଯାଉଛି ।
ଜାହାଜଟିର କୌଣସି ଯନ୍ତ୍ରପାତି ନଷ୍ଟ ହୋଇନାହିଁ । ସାମାନ୍ୟ ମରାମତି କରିଦେଲେ ଜାହାଜଟି ପୂର୍ବଭଳି କାମ କରିବ ବୋଲି ମିଶନ ମୁଖ୍ୟ ଜଣାଇଛନ୍ତି । ନରୱେର ପ୍ରାୟ ଏକ ଲକ୍ଷ ଲୋକ ଏହି ହ୍ରଦର ଜଳ ଉପରେ ନିର୍ଭରଶୀଳ । ହ୍ରଦଟିର କେତୋଟି ସ୍ଥାନରୁ କଳଙ୍କଯୁକ୍ତ ସାମଗ୍ରୀ ମିଳିବାରୁ ନରୱେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନରୱେ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ହ୍ରଦଟିକୁ ସର୍ବେକ୍ଷଣ କରୁଛି ।