ମୁମ୍ବାଇ: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ବହୁ ପ୍ରତୀକ୍ଷିତ ଲୋକାୟୁକ୍ତ ବିଧେୟକ ଆଜି ମହାରାଷ୍ଟ୍ର ବିଧାନସଭାରେ ଅନୁମୋଦନ ଲାଭ କରିଛି । ଗତ କିଛିବର୍ଷ ଧରି ଲୋକାୟୁକ୍ତ ଗଠନ ପାଇଁ ତୁମ୍ବିତୋଫାନ ଚାଲିଥିଲା । ଆନ୍ନା ହଜାରେ ଏକାଧିକବାର ଅନଶନ ଓ ଆନ୍ଦୋଳନ ଚାଲୁ ରଖିଥିଲେ । ଦୁର୍ନୀତି ରୋକିବା ଦିଗରେ ଲୋକାୟୁକ୍ତ ସକ୍ଷମ ହେବ ବୋଲି ଆନ୍ନା ବିଚାର କରନ୍ତି ।
ଆନ୍ନାଙ୍କ ମତରେ ବିଧାୟକ, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ଲୋକାୟୁକ୍ତ ପରିସରଭୁକ୍ତ କରାଗଲେ, ଦୁର୍ନୀତି ବେକରେ ଲଗାମ କଷିବା ସହଜ ହେବ । ଆନ୍ନାଙ୍କ ବାଟରେ ପାଦ ପକାଇଛନ୍ତି ସିନ୍ଦେ ସରକାର । ଲୋକାୟୁକ୍ତ ବିଲ ଅନୁମୋଦନ ସିନ୍ଦେ ସରକାରଙ୍କ ଅନ୍ୟତମ ବଡ଼ ପଦକ୍ଷେପ ବୋଲି ଆଲୋଚନା ଚାଲିଛି । ଲୋକାୟୁକ୍ତ ବିଧେୟକ ଆଗତକୁ ଆନ୍ନା ହଜାରେ କ୍ରାନ୍ତିକାରୀ କହି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ତାରିଫ କରିଥିଲେ ।
ବୁଧବାର ଲୋକାୟୁକ୍ତ ବିଲ ଅନୁମୋଦନ ଲାଭ କରିବାରୁ ଆନ୍ନା ଉଭୟ ମୁଖ୍ୟମନ୍ତ୍ରୀ ସିନ୍ଦେ ଓ ଉପ-ମୁଖ୍ୟମନ୍ତ୍ରୀ ଫଡ଼ନାଭିସଙ୍କୁ ସାଧୁବାଦ ଜଣାଇଛନ୍ତି । ଆନ୍ନା କହିଛନ୍ତି, ୨୦୧୮ରେ ମୁଁ ରାମଲୀଳା ମଇଦାନରେ ଅନଶନରେ ବସିଥିଲା ବେଳେ ତକ୍ରାଳୀନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଲୋକାୟୁକ୍ତ ବିଧେୟକ ଆଗତ କରିବେ ବୋଲି ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ।
ମାତ୍ର ତଦନୁଯାୟୀ କୌଣସି ପଦକ୍ଷେପ ଗ୍ରହଣ କଲେନି । ସରକାର ବଦଳିଗଲା । ଉଦ୍ଧବ ଠାକରେଙ୍କ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲି; ସେ ମୋ କଥା ପ୍ରତି କର୍ଣ୍ଣପାତ କଲେନାହିଁ । ଅବଶେଷରେ ସିନ୍ଦେ ସରକାର ମୋ କଥା ରକ୍ଷା କରିଛନ୍ତି । କିନ୍ତୁ ଲୋକାୟୁକ୍ତ ନିଯୁକ୍ତ ଓ ତାଙ୍କର କାର୍ଯ୍ୟଶୈଳୀକୁ ଅନୁଧ୍ୟାନ ନକରିବା ପର୍ଯ୍ୟନ୍ତ ମୁଁ କିଛି ମତାମତ ଦେବି ନାହିଁ ।