ଶିଶୁ ମୃତ୍ୟୁ ପାଇଁ ଭାରତକୁ ଦାୟୀ କଲା ଉଜବେକିସ୍ତାନ

ଯଦିଓ ଗାମ୍ବିୟାର ସାଂଘାତିକ ଅଭିଯୋଗ ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରିନି…..

ନୂଆଦିଲ୍ଲୀ: ଗାମ୍ବିଆରେ ୬୬ ଶିଶୁଙ୍କ ପ୍ରାଣହାନି ଘଟଣାରେ ଭାରତକୁ ତୀବ୍ର ସମାଲୋଚନା ଶୁଣିବାକୁ ପଡ଼ିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତୀୟ ଔଷଧ କମ୍ପାନୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତି ନେଇଛି । ଏବେ ଉଜବେକିସ୍ତାନ ମଧ୍ୟ ସମାନ ଅଭିଯୋଗରେ ଭାରତକୁ ଛନ୍ଦିଛି । ଭାରତର ଏକ ଔଷଧ କମ୍ପାନୀ ପ୍ରସ୍ତୁତ ଔଷଧ ସେବନ କରି ଉଜବେକିସ୍ତାନର ୧୮ ଜଣ ଶିଶୁ ପ୍ରାଣ ହରାଇଛନ୍ତି ।

ଉଜବେକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ମୁତାବକ ୨୦୧୨ରେ ଭାରତୀୟ କମ୍ପାନୀ ମାରିୟନ୍‌ ବାୟୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଉଜବେକିସ୍ତାନରେ ବ୍ୟବସାୟ ଆରମ୍ଭ କରିଥିଲା । ମାରିୟନ୍‌ ପ୍ରସ୍ତୁତ ‘ଡକ୍‌-୧ ମ୍ୟାକ୍ସ’ ସିରପ ଯାହା ଏବେ ଭାରତ ବଜାରରେ ବିକ୍ରି କରାଯାଉନି ମାତ୍ର ତାହା ଉଜବେକିସ୍ତାନରେ ବିକ୍ରି ଚାଲିଛି ।

ଯଦିଓ ଗାମ୍ବିୟାର ସାଂଘାତିକ ଅଭିଯୋଗ ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରିନି । କିନ୍ତୁ ଗୋଟିଏ ପରେ ଗୋଟିଏ ଦେଶ ଭାରତୀୟ କମ୍ପାନୀ ବିରୋଧରେ ଏପରି ଅଭିଯୋଗ କରିବା ଫଳରେ ଆନ୍ତର୍ଜାତିକ ବଜାରରେ ଭାରତର ବଦନାମ ହେବା ସୁନିଶ୍ଚିତ ।

ଭାରତୀୟ କମ୍ପାନୀର କଫ ଔଷଧ ସେବନ କରି ଗାମ୍ବିୟାର ୬୬ ଜଣ ଶିଶୁ ପ୍ରାଣ ହରାଇବା ସଂକ୍ରାନ୍ତରେ ଭାରତ ସରକାର ଏକ କମିଟି ଗଠନ କରି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ପରାମର୍ଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ଦାଖଲ କରାଯିବା ପର୍ଯ୍ୟନ୍ତ କମ୍ପାନୀର ଉତ୍ପାଦନକୁ ବନ୍ଦ କରାଯାଇଛି ।