ଟିମ୍‌ ଇଣ୍ଡିଆରୁ ବାଦ କ୍ରିକେଟିୟର ଠୁକିଲେ ୬ଟି ଛକା

ଦ୍ୱିତୀୟ ପାଳି ମଧ୍ୟ ଆସାମ ପାଇଁ କଡ଼ା ପରୀକ୍ଷା ଥିଲା…..

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଟି-୨୦ ଓ ଦିନିକିଆ ସିରିଜ । ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଛନ୍ତି ବହୁ ଯୁବ ଖେଳାଳି । ଆଇପିଏଲ୍‌ର ଦାମୀ ଖେଳାଳି ମାନ୍ୟତା ପାଇଥିବା ଯୁବଖେଳାଳି ଏବେ ରଣଜୀ ଟ୍ରଫି’ରେ କମାଲ ଦେଖାଇଛନ୍ତି । ସେମିତି ଜଣେ ଉଦୀୟମାନ ଖେଳାଳି ହେଉଛନ୍ତି ଆସାମର ରିୟାନ୍‌ ପରାଗ । ବୁଧବାର ଅନୁଷ୍ଠିତ ଆସାମ-ହାଇଦ୍ରାବାଦ ମ୍ୟାଚ୍‌ଟି ବେଶ ଚିତାକର୍ଷକ ଥିଲା ।

ଆସାମ ବ୍ୟାଟ୍ସମ୍ୟାନ ରିୟାନ ମାତ୍ର ୨୮ଟି ବଲରୁ ୬ଟି ଛକା ଓ ୮ଟି ଚୌକା ବଳରେ ମୋଟ ୭୮ ରନ୍‌ ସାଉଁଟି ନେଇଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ୍‌ ୨୭୮.୫୭ ଥିଲା । ଆସାମ-ହାଇଦ୍ରାବାଦ ମ୍ୟାଚ୍‌ର ଦ୍ୱିତୀୟ ଦିନଟି ରିୟାନଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିବ । ହାଇଦ୍ରାବାଦ ପ୍ରଥମ ପାଳିରେ ୨୦୮ ରନ୍‌ କରିଥିଲା । ଆସାମ ପ୍ରଥମ ପାଳିରେ ସବୁ ୱିକେଟ୍‌ ହରାଇ ୨୦୫ ରନ୍‌ କରିଥିଲା । ଦ୍ୱିତୀୟ ପାଳି ମଧ୍ୟ ଆସାମ ପାଇଁ କଡ଼ା ପରୀକ୍ଷା ଥିଲା ।

ମାତ୍ର ରିୟାନ ପରାଗ ଖେଳର ଗତି ବଦଳାଇ ଦେଇଛନ୍ତି । ଆସାମ ଦ୍ୱିତୀୟ ପାଳିର ଦ୍ୱିତୀୟ ଦିନରେ ୬ ୱିକେଟ୍‌ ବିନିମୟରେ ୧୮୨ ରନ୍‌ କରିଛି । ରିୟାନ ଉଭୟ ବ୍ୟାଟିଂ ଓ ବୋଲିଂରେ ସିଦ୍ଧହସ୍ତ । ୨୧ ବର୍ଷୀୟ ରିୟାନ୍‌ ଆଇପିଏଲ୍‌ରେ ତାଙ୍କର ବ୍ୟାଟିଂ କୁହୁକ ଦେଖାଇ ସାରିଛନ୍ତି । ରାଜସ୍ଥାନ ରୟାଲ୍ସ ପାଇଁ ଏକାଧିକବାର ବ୍ୟାଟିଂ ଯାଦୁ ଦେଖାଇଥିବା ରିୟାନ୍‌ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇବାର ଆଶା ରଖିଛନ୍ତି ।