କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଅନୁ ଟଣ୍ଡନ

ନୂଆଦିଲ୍ଲୀ : ପୂର୍ବତନ ସାଂସଦ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଅନୁ ଟଣ୍ଡନ ଦଳରୁ ଇସ୍ତଫା ଦେଇଛନ୍ତି। ଉତ୍ତର ପ୍ରଦେଶ ଅନ୍ନାବରୁ ସେ ସାଂସଦ ରହିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଦଳରୁ ଇସ୍ତଫା ଦେଇଥିବା ଖୋଦ୍ ଅନୁ ଟ୍ବିଟ୍ କରି ଏ କଥା ଜଣାଇଛନ୍ତି।

ରାଜ୍ୟ ନେତୃତ୍ବରେ କୌଣସି ତାଳମେଳ ନ ରହିବାରୁ ତାଙ୍କୁ କାମରେ କିଛି ମାସ ହେବ ସାହାଯ୍ୟ ମିଳିଲା ନାହିଁ। ୨୦୧୯ ନିର୍ବାଚନ ହାରିବା ତାଙ୍କ ପାଇଁ ଯେତିକି କଷ୍ଟଦାୟକ ନ ଥିଲା ଏବେ ଦଳର କାର୍ଯ୍ୟକଳାପ ତାଙ୍କୁ ଖୁବ୍ ଦୁଃଖିତ କରିଛି। ରାଜ୍ୟର ନେତୃତ୍ବ ସୋସିଆଲ ମିଡ଼ିଆ ମ୍ୟାନେଜମେଣ୍ଟ ଓ ବ୍ୟକ୍ତିଗତ ବ୍ରାଣ୍ଡିଂରେ ଏତେ ଲୀନ ରହିଛି ଯେ ଦଳ ଓ ମତଦାତା ଅଲଗା ହେବାର ଚିନ୍ତା ମଧ୍ୟ ନାହିଁ। ଏ ବାବଦରେ ସେ ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିଥିଲେ। ମାତ୍ର ଏ ନେଇ କୌଣସି ବିକଳ୍ପ ରାସ୍ତା ନ ବାହାରିବାରୁ ଦଳରୁ ଇସ୍ତଫା ଦେଇଛନ୍ତି ଅନୁ। ସେ ଦଳ ସହ ୧୫ ବର୍ଷ ଜଡ଼ିତ ଥିଲେ।