ଗୋଆରେ ବିନା ଅନୁମତିରେ ପର୍ଯ୍ୟଟକଙ୍କ ଫଟୋ ଉଠାଇବା ମନା
ସାଧାରଣ ସ୍ଥାନରେ ବଣଭୋଜି ଆୟୋଜନକୁ କଡ଼ାକଡ଼ି ବାରଣ କରାଯାଇଛି….
ପାଣାଜୀ: ଗୋଆ ସରକାର ପର୍ଯ୍ୟଟକଙ୍କ ବ୍ୟକ୍ତିଗତ ଓ ସାମାଜିକ ଜୀବନ ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେଉଛନ୍ତି । ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁସାରେ ସାଧାରଣ ଫଟୋଗ୍ରାଫର ଓ ଫଟୋ ସାମ୍ବାଦିକଙ୍କୁ ବହୁତ ନିୟମ କାନୁନ ମାନି ଚଳିବାକୁ ପଡ଼ିବ । ଗୋଆ ବୁଲିବାକୁ ଯାଇଥିବା କୌଣସି ପର୍ଯ୍ୟଟକଙ୍କ ସହିତ ଫଟୋ ଉଠାଇବାକୁ ଚାହୁଁଥିଲେ, ସଂପୃକ୍ତ ପର୍ଯ୍ୟଟକଙ୍କ ଅନୁମତି ନେବା ନିହାତି ଜରୁରୀ ।
ବିଶେଷ କରି ସମୁଦ୍ର ବେଳାଭୂମିରେ ଅଳସ ଭାଙ୍ଗୁଥିବା ବିଦେଶୀ ପର୍ଯ୍ୟଟକ ଅବା ସମୁଦ୍ର ଲହଡ଼ିରେ ମଉଜମସ୍ତି କରୁଥିବା ବିଦେଶୀ ରମଣୀଙ୍କ ଫଟୋ ଉଠାଇବା ଉପରେ କଟକଣା ଜାରି କରାଯାଇଛି । ସାଧାରଣ ସ୍ଥାନରେ ବଣଭୋଜି ଆୟୋଜନକୁ କଡ଼ାକଡ଼ି ବାରଣ କରାଯାଇଛି ।
ସରକାରଙ୍କ ବଣଭୋଜି ଆଇନକୁ ଅମାନ୍ୟ କଲେ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ତା’ ସହିତ ବିରାଟ ଚଟାଣ ଓ ବିପଦପୂର୍ଣ୍ଣ ସ୍ଥାନରେ ସେଲ୍ଫି ନ ଉଠାଇବାକୁ ବାରଣ କରାଯାଇଛି । ସାଧାରଣ ସ୍ଥାନରେ ମଦ ପିଇବା, କମ୍ ମୂଲ୍ୟରେ ଚୋରା ବାଇକ୍ ଅବା ଗାଡ଼ି କିଣିବା, ମିଟର ମୁତାବକ ଟାକ୍ସିଚାଳକକୁ ଦେୟ ପଇଠ କରିବା ପ୍ରତି ଗୁରୁତ୍ୱାରୋପ କରାଯାଇଛି ।