ମମତାଙ୍କ ନିକଟରେ ସୁପ୍ରିମକୋର୍ଟ ତୁଚ୍ଛ

ଏ ଲଢେ଼ଇ ମୋ ପାଇଁ ସହଜ ନଥିଲା ନା କାହା ପାଇଁ ସହଜ ହେବ…..

କୋଲକାତା: ପଶ୍ଚିମବଙ୍ଗରେ ଆଇନ କହିଲେ ଯାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଟି । ମମତାଙ୍କ ଯଦି କୁଆକୁ ଭୁଆ ଉଚ୍ଚାରଣ କରନ୍ତି, ସେଠାକାର ହାଇକୋର୍ଟ ମଧ୍ୟ କୁଆକୁ ଭୁଆ ମଣି ବିଚାର କରନ୍ତି । ଯୋଉଦିନଠାରୁ ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଆସନରେ ଅଛନ୍ତି, ସେହିଦିନଠାରୁ ବେଙ୍ଗଲ ନ୍ୟାୟାଳୟର ବିଚାର ବ୍ୟବସ୍ଥା ବଦଳି ଯାଇଛି ।

ନିକଟରେ ଗୋଟିଏ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଥିବା ଜଣେ ଅଭିଯୁକ୍ତ କହନ୍ତି, ‘ବଙ୍ଗାଲରେ ଏକା ମୁଁ ନୁହେଁ, ମୋ ଭଳି ୫୦ ଲୋକ ଅଛନ୍ତି ଯୋଉମାନେ ମିଛ ଅଭିଯୋଗରେ ଛନ୍ଦି ହୋଇ କୋର୍ଟରେ ଚକ୍କର କାଟୁଛନ୍ତି । ଓକିଲଙ୍କୁ ଟଙ୍କା ଗଣିଗଣି ଫକିର ହୋଇଗଲେଣି । ଏ ଲଢେ଼ଇ ମୋ ପାଇଁ ସହଜ ନଥିଲା ନା କାହା ପାଇଁ ସହଜ ହେବ । ଦୀର୍ଘ ୧୧ ବର୍ଷ ଧରି କୋର୍ଟରେ ଚକ୍କର କାଟିକାଟି ମାନସିକ, ଶାରୀରିକ ଓ ଆର୍ଥିକ ଦୃଷ୍ଟିରୁ ବର୍ବାଦ ହୋଇଗଲାଣି । ଯାହା ହରାଇଛି ତାକୁ କେହି ଭରଣା କରିପାରିବେନି ।’

ଯାଦବପୁର ବିଶ୍ୱବିଦ୍ୟାଳୟର କେମିଷ୍ଟ୍ରି ପ୍ରଫେସର ଅମ୍ବିକେଶ ମହାପାତ୍ର ଦୀର୍ଘ ୧୧ ବର୍ଷ ପରେ ଅଭିଯୋଗରୁ ମୁକ୍ତ ହେଲେ ମଧ୍ୟ ଆଜି ସେଦିନର ତିକ୍ତ ଅନୁଭୂତି କହିଲା ବେଳେ ପାଟି ଖନି ମାରିଯାଏ । ଜାନୁଆରୀ ୨୦ ତାରିଖରେ ଆଲୀପୁର କୋର୍ଟ ଅମ୍ବିକେଶଙ୍କୁ ଖଲାସ କରିଛନ୍ତି । ମାମଲା ୨୦୧୨ ଏପ୍ରିଲ ୧୩ ତାରିଖର ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତକ୍ରାଳୀନ କେନ୍ଦ୍ର ରେଳମନ୍ତ୍ରୀ ମୁକୁଲ ରାୟଙ୍କର ଏକ ବ୍ୟଙ୍ଗ ଚିତ୍ର ଶେୟାର କରିଥିବା ଅଭିଯୋଗରେ ଅମ୍ବିକେଶଙ୍କୁ ଗିରଫ କଲା ଇଷ୍ଟ୍‌ ଯାଦବପୁର ପୁଲିସ । ଆଇଟି ଆକ୍ଟ ଧାରା ୬୬-ଏ ଆଧାରରେ ଅମ୍ବିକେଶଙ୍କୁ ଗିରଫ କରାଗଲା । ଉକ୍ତ ଧାରାକୁ ସୁପ୍ରିମକୋର୍ଟ ୮ ବର୍ଷ ତଳୁ ରଦ୍ଦ କରିଥିଲେ ମଧ୍ୟ ତାକୁ ପଶ୍ଚିମବଙ୍ଗ ହାଇକୋର୍ଟ ଅଣଦେଖା କଲେ ।

ଅମ୍ବିକେଶ କହନ୍ତି, ମୁଁ କେବଳ ଇ-ମେଲ ପଠାଇଥିଲି । ନିଜେ କିଛି ଲେଖିନାହିଁ । ଟିଏମ୍‌ସି କର୍ମୀମାନେ ମୋତେ ପ୍ରବଳ ମାଡ଼ ମାରିଲେ । ସାଦା କାଗଜ ଉପରେ ଜୋରଜବରଦସ୍ତ ଲେଖାଇ ନେଲେ ଯେ ମୁଁ ସିପିଏମ୍‌ ସମର୍ଥକ । ମୁଁ ନିଜେ ମେଲ୍‌ ଲେଖି ଫରୱାର୍ଡ କରିଛି । ଆଗାମୀ ଦିନରେ ମୋ ପାଖକୁ କିଛି ବ୍ୟଙ୍ଗାତ୍ମକ ଇ-ମେଲ ଆସିଲେ ମୁଁ ଫରୱାର୍ଡ କରିବି । ଅମ୍ବିକେଶଙ୍କ ଭଳି ପିଡବ୍ଲ୍ୟୁଡିର ଅବସରପ୍ରାପ୍ତ ଯନ୍ତ୍ରୀ ସୁବ୍ରତ ସେନଗୁପ୍ତାଙ୍କୁ ମଧ୍ୟ ଗିରଫ କରାଗଲା । ସେନଗୁପ୍ତ ମାମଲା ଲଢୁଥିବା ଅବସ୍ଥାରେ ୨୦୧୯ରେ ୮୦ ବର୍ଷ ବୟସରେ ପରଲୋକ ଗମନ କଲେ ।

ଗୋଟିଏ ପଟେ ଟଙ୍କା, କ୍ଷମତା, ବାହୁବଳ ଓ ପ୍ରଶାସନ । ପୁଲିସ ତାଙ୍କର; ସରକାର ତାଙ୍କର । ଲଢ଼ିବା ମୁସ୍କିଲ ଥିଲା । ମାମଲା ଲଢ଼ିବା ଭିତରେ ବଳ, ବୟସ, ଜମାପୁଞ୍ଜି ସବୁ ଚାଲିଗଲା । ଜଣେ ସାଧାରଣ ଲୋକ ପକ୍ଷେ ୟା’ଠାରୁ ବଳି ବଡ଼ କ୍ଷତି ଆଉ କ’ଣ ହୋଇପାରେ? ଲଢେ଼ଇ ସମୟରେ ମୋ ସହିତ କଲେଜ ପ୍ରଶାସନ ଥିଲା, ସାଧାରଣ ଜନତା ଥିଲେ ।

ବନ୍ଧୁବାନ୍ଧବ ଓ ପରିବାର ଥିଲେ । ସବୁଠାରୁ ବଡ଼ ଦୁଃଖ ଥିଲା ଯୋଉ କାନୁନ (ଆଇଟି ଆକ୍ଟ ୬୬-ଏ)କୁ ଆଧାର କରି ତାଙ୍କୁ ଅଭିଯୁକ୍ତ କରାଗଲା । ତାହାକୁ ୨୦୧୫ ମାର୍ଚ୍ଚ ୨୪ ତାରିଖରେ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ । ମାତ୍ର ସୁପ୍ରିମକୋର୍ଟଙ୍କ ରାୟକୁ ପଶ୍ଚିମବଙ୍ଗ ନ୍ୟାୟପାଳିକା ଓ ସରକାର ଭ୍ରୁକ୍ଷେପ କଲେନି ।