ନୂଆଦିଲ୍ଲୀ: ବିଜେପି ମେଂଟ ଶାସନର ଦ୍ୱିତୀୟ ପାଳିର ଅନ୍ତିମ ବଜେଟ ଜରିଆରେ ଭୋଟରଙ୍କୁ ମନାଇବାର ଯଥେଷ୍ଟ ଉଦ୍ୟମ କରାଯାଇଛି । ବଜେଟରେ ସରକାର ପାଂଚୋଟି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଗୁଡ଼ିକ ହେଲା,
୧. ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ମଧ୍ୟମ ବର୍ଗର ପରିବାରକୁ ଆୟକର ପଇଠ କରିବାକୁ ପଡ଼ିବନି ।
୨. ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ବର୍ଷକ ପାଇଁ ମାଗଣା ଶସ୍ୟ ଯୋଗାଇ ଦିଆଯିବ ।
୩. ଯୁବକ ଯୁବତୀଙ୍କ ପାଇଁ ଷ୍ଟାର୍ଟଅପ୍ ଫଣ୍ଡ ଗଠନ କରାଯିବ । ତିନିବର୍ଷ ପାଇଁ ଭତା ପ୍ରଦାନ କରାଯିବ । ଆନ୍ତର୍ଜାତିକ କୌଶଳ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ପ୍ରତିଷ୍ଠିତ ଏକଲବ୍ୟ ସ୍କୁଲ ପାଇଁ ୩୮ ହଜାର ୮୦୦ ଶିକ୍ଷକ ନିଯୁକ୍ତ ହେବେ । ଆଦିବାସୀ ଗ୍ରାମର ବିକାଶ ପାଇଁ ୧୫ ହଜାର କୋଟିର ପ୍ୟାକେଜ ଗଠନ ।
ମହଙ୍ଗା-ଶସ୍ତା: ଏଲ୍ଇଡି ଟିଭି-ମୋବାଇଲ ଶସ୍ତା ହେବ । ସିଗାରେଟ୍ ଉପରେ ଅବକାରୀ ଶୁଳ୍କ ୧୬% ବୃଦ୍ଧି କରାଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଅଭିଭାଷଣରୁ ଜଣାଯାଏ, ୮ ବର୍ଷ ପରେ ଆୟକର ପଇଠ ନିୟମ ସଂଶୋଧନ କରାଯାଇଛି । ସେହିପରି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆମଦାନୀ କରାଯାଉଥିବା ଦ୍ରବ୍ୟ ଉପରେ ଟିକସ ଛାଡ଼ କରାଯାଇଛି । ଆଜିର ବଜେଟ ସୀତାରମଣଙ୍କର ପଂଚମ ବଜେଟ୍ ଓ କେନ୍ଦ୍ର ସରକାରଙ୍କର ୭୫ତମ ବଜେଟ୍ ।
ଚଳିତ ବଜେଟ୍ ଅଭିଭାଷଣଟି ପ୍ରାୟ ଏକଘଂଟା ୨୭ ମିନିଟ ପର୍ଯ୍ୟନ୍ତ ଗତି କରିଥିଲା ଯାହା ସୀତାରମଣଙ୍କର ଅନ୍ୟ ବଜେଟ୍ ଅଭିଭାଷଣ ଅବଧି ତୁଳନାରେ ଯଥେଷ୍ଟ କମ୍ । ମୋଦୀଙ୍କ ଦ୍ୱିତୀୟ ପାଳିର ଅନ୍ତିମ ବଜେଟ୍ରେ ୯ଟି ରାଜ୍ୟ ଓ ଲୋକସଭା ନିର୍ବାଚନ ପ୍ରତିଫଳିତ ହୋଇଛି । ଅର୍ଥମନ୍ତ୍ରୀ ସୀତାରମଣ ଦୃଢ଼ତାର ସହ କହିଛନ୍ତି ଯେ କରୋନା ଓ ଯୁଦ୍ଧ ବିଭୀଷିକା ବିଶ୍ୱ ଅର୍ଥନୀତିକୁ ମକଚି ଦେଇଥିଲା ବେଳେ ଭାରତର ଆର୍ଥିକ ସ୍ଥିତି ଅନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ ମଜଭୁତ ହୋଇପାରିଛି ।