ବଜେଟ୍‌ ୨୦୨୩: ବଜେଟ୍‌ ଷାଠିଏ ନୁହେଁ ତିନିକୋଡ଼ି

ଭୋଟରଙ୍କୁ ବୋକା ଭାବିଛନ୍ତି ମୋଦୀ ଓ ସୀତାରମଣ…

ଭୁବନେଶ୍ୱର: ଭୋଟ ଲୁଟିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ଦଶମ ବଜେଟରେ ପାଂଚୋଟି ବଡ଼ ଘୋଷଣା କରିଛନ୍ତି । ସରକାର ୮ ବର୍ଷ ପରେ ନୂଆ ଟିକସ ନୀତି ପ୍ରଣୟନ କରିଛନ୍ତି ଯାହା ଭୋଟରଙ୍କୁ ଫାଇଦା ଦେବ ବୋଲି କୁହାଯାଉଛି । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ, ସଂଶୋଧିତ ଟିକସ ନୀତି ତୁଳନାରେ ପୁରୁଣା ଟିକସ ନୀତି ଲୋକଙ୍କ ପାଇଁ ଲାଭଦାୟକ । ଅର୍ଥଶାସ୍ତ୍ରୀଙ୍କ ମତରେ ବର୍ଷକୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ନିବେଶ ପ୍ରତି ରୁଚି ରଖିଥିଲେ, ତାଙ୍କ ପାଇଁ ପୁରୁଣା ଟିକସ ପଦ୍ଧତି ଲାଭଦାୟକ ରହୁଛି ।

ଜଣେ ଚାର୍ଟାର୍ଡ ଆକାଉଟାଂଟଙ୍କ ମତରେ ସଂଶୋଧିତ ଟିକସ ନୀତି ଅନୁସାରେ ବାର୍ଷିକ ସାଢେ଼ ୭ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ବାବଦକୁ କିଛି ଦେବାକୁ ପଡ଼ିବନି । ବର୍ଷକୁ ସାଢେ଼ ୭ ଲକ୍ଷ ଟଙ୍କା ଦରମା ଉପରେ ଷ୍ଟାଣ୍ଡାର୍ଡ ଡିଡକ୍ସନ୍‌ ବାବଦକୁ ୫୦ ହଜାର ଟଙ୍କା ବାଦ ଦେଲେ ଅବଶିଷ୍ଟ ୭ ଲକ୍ଷ ଉପରେ ଆୟକର ଦେବାକୁ ପଡ଼ିବନି । କିନ୍ତୁ ଆପଣଙ୍କର ବାର୍ଷିକ ଦରମା ୧୦, ୧୫ ଓ ୨୦ ଲକ୍ଷ ଟଙ୍କା ହୋଇଥିଲେ, ତା’ ଉପରେ ମଧ୍ୟ ୫୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ୍‌ ମିଳିବ । ଏଭଳି ସ୍ଥିତିରେ ପୁରୁଣା ଟିକସ ନୀତିଟି ଭୋଟରଙ୍କ ପାଇଁ ଲାଭଦାୟକ ମନେହୁଏ ।

ଏକ ହିସାବରୁ ଜଣାଯାଏ, ନୂତନ ଆୟକର ନୀତି ଅନୁସାରେ ବାର୍ଷିକ ୧୦ ଲକ୍ଷ ଟଙ୍କା ଦରମା ପାଉଥିବା ବ୍ୟକ୍ତିଙ୍କୁ ଆୟକର ବାବଦକୁ ୫୨ ହଜାର ୫୦୦ ଟଙ୍କା ପଇଠ କରିବାକୁ ପଡ଼ିବ । ବାର୍ଷିକ ୧୫ ଲକ୍ଷ ଟଙ୍କା ଦରମା ପାଉଥିବା ବ୍ୟକ୍ତିଙ୍କୁ ଆୟକର ବାବଦକୁ ଏକ ଲକ୍ଷ ଚାରିଶି ହଜାର ଟଙ୍କା ପଇଠ କରିବାକୁ ପଡ଼ିବ ।

ବାର୍ଷିକ ୨୦ ଲକ୍ଷ ଟଙ୍କା ଦରମା ପାଉଥିବା ବ୍ୟକ୍ତିଙ୍କୁ ଆୟକର ବାବଦକୁ ୨ ଲକ୍ଷ ୮୫ ହଜାର ଟଙ୍କା ପଇଠ କରିବାକୁ ପଡ଼ିବ । ବାର୍ଷିକ ୧୦ ଲକ୍ଷ ଟଙ୍କା ଆୟ କରୁଥିବା ଲୋକ ବିଭିନ୍ନ ସରକାରୀ ଯୋଜନାରେ ୫ ଲକ୍ଷ ଟଙ୍କା ଖଟାଉଥିବା ଦର୍ଶାଇ ଅବଶିଷ୍ଟ ୫ ଲକ୍ଷ ଟଙ୍କାରୁ ଷ୍ଟାଣ୍ଡାର୍ଡ ଡିଡକ୍ସନ୍‌ ବାବଦକୁ ୫୦ ହଜାର ଟଙ୍କା ବାଦ ଦେଇ ଆୟକର ଜଞ୍ଜାଳରୁ ମୁକ୍ତ ହୋଇପାରିବେ ।