ବିକ୍ରମଦେବ ବିଶ୍ବବିଦ୍ୟାଳୟ ଖୋଲିବ ଅତ୍ୟାଧୁନିକ ଅଡିଟୋରିଅମ

ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ …

ଜୟପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀ ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଗଲା ବୋଲି ଘୋଷଣା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଛାତ୍ରଛାତ୍ରୀମାନଙ୍କୁ ଏ ଘୋଷଣା ସଂପର୍କରେ ଉଲ୍ଲେଖକରି କହିଥିଲେ ‘ଆପଣମାନେ ଖୁସି ତ?’ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବିପୁଳ ଉତ୍ସାହ, ଆନନ୍ଦ, ଉଲ୍ଲାସ ଓ କରତାଳି ମଧ୍ୟରେ ସ୍ବାଗତ କରିଥିଲେ । ଏହି ଘୋଷଣା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ । ଏ ସଂପର୍କରେ ଅଧିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଥିଲେ ଯେ ଏହି ଅଡିଟୋରିଅମ ୧୦୦୦ ଆସନ ବିଶିଷ୍ଟ ହେବ ଏବଂ ଏଥିପାଇଁ ୮ କୋଟି ଟଙ୍କା ବିନିଯୋଗ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଆମ ଭିତରେ ଥିବା ସଂଭାବନାକୁ ବୃଦ୍ଧି କରିଥାଏ। ଯୁବସମାଜ ଉପରେ ତାଙ୍କର ପୁରା ଆସ୍ଥା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ଭଲ ପାଠ ପଢନ୍ତୁ ଏବଂ ସମାଜ ସହିତ ଯୋଡି ହୋଇ ରୁହନ୍ତୁ । ନିଜର ତଥା ନିଜ ପରିବାରର ଏବଂ ସାରା ଓଡିଶାର ସ୍ବପ୍ନ ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।