ଭିଏନାରେ ଆତଙ୍କବାଦୀଙ୍କ ଆକ୍ରମଣ, ୩ ମୃତ

ଭିଏନା : ଆତଙ୍କବାଦୀଙ୍କ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଗୁରୁତର ହୋଇଛନ୍ତି । ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଆତଙ୍କବାଦୀ ଏଭଳି ଭୟାଭୟ କାଣ୍ଡ ଘଟାଇଛନ୍ତି। ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି ମନଇଚ୍ଛା ଗୁଳି ବର୍ଷା କରିଛନ୍ତି। ଚାରିଆଡ଼େ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି। ତେବେ ସୁରକ୍ଷାବଳଙ୍କ ଆକ୍ରମଣରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି।

ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କୁ ସ୍ପଷ୍ଟ ଭାବ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ସିସିଟିଭି ଫୁଟେଜରେ ଆତଙ୍କବାଦୀ ଜଣକ ରାସ୍ତା ଉପରେ ଶୋଇ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରୁଥିବା ଦେଖାଯାଇଛି। ଅଷ୍ଟ୍ରିଆନ୍ ଚାନସିଲର ସେବାଷ୍ଟିଆନ୍ କୁର୍ଜ ଏହି ଆକ୍ରମଣ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ପଷ୍ଚ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ସହରର ଏକ ପୂଜାସ୍ଥଳ ନିକଟରେ ସର୍ବପ୍ରଥମେ ଗୁଳିଚାଳନା ହୋଇଥିଲା ପରେ ସହରର ୬ଟି ଅନ୍ୟ ସ୍ଥାନରେ ଆକ୍ରମଣ କରାଯଇଥିଲା । ଅଷ୍ଟ୍ରିଆରେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ ପୁଣି ଲାଗୁ କରାଯିବାର କିଛି ଘଣ୍ଟା ପୂର୍ବରୁ ହିଁ ଏହି ଆକ୍ରମଣ ହୋଇଛି। ଲୋକମାନେ ବାର୍, ରେସ୍ତୋରାଁ ଓ ହୋଟେଲରେ ଲକଡାଉନ୍ ପୂର୍ବରୁ କଟକଣା ମୁକ୍ତ ସମୟକୁ ଉପଭୋଗ କରୁଥିଲେ ସେତେବେଳେ ଆକ୍ରମଣ କରାଯାଇଥିଲା । ଏଥିରେ ଜଣେ ପୁଲିସ ଅଧିକାରୀ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।

ଆତଙ୍କବାଦୀମାନେ ରାତି ପ୍ରାୟ ୮ଟା ସମୟରେ ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି। ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମନ୍ତ୍ରୀ କାର୍ଲ ନେହମର କହିଛନ୍ତି ଯେ, “ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଅତି କମରେ ଜଣେ ଆତଙ୍କବାଦୀ ଏବେ ବି ଜୀବିତ ଥିବା ବେଳେ ଆମେ ତାଙ୍କୁ ଠାବ ମଧ୍ୟ କରିପାରି ନାହୁଁ। ଏହି ଆକ୍ରମଣରେ କେତେଜଣ ଆତଙ୍କବାଦୀ ସାମିଲ ଥିଲେ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ଜଣାପଡ଼ିନାହିଁ।” ବର୍ତ୍ତମାନ ସମସ୍ତ ଭିଏନା ବାସିନ୍ଦାଙ୍କୁ ନିଜ ଘରେ ରବିବାକୁ ଏବଂ ସାର୍ବଜନୀନ ସ୍ଥାନ ତଥା ପରିବହନଠାରୁ ଦୂରରେ ରହିବାକୁ କ୍ରୁର୍ଜ ଅପିଲ କରିଛନ୍ତି। ସମୂର୍ଣ୍ଣ ସହରକୁ ସେନା ଛାଉଣୀ କରିଦିଆଯାଇଛି।

ଏପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏଭଳି ଦୁଃଖଦ ସମୟରେ ଭାରତ ଭିଏନା ସହ ଛିଡ଼ାହୋଇଛି। ଏହାସହ ମୃତକଙ୍କ ପରିବାରକୁ ମଧ୍ୟ ମୋଦି ସାନ୍ତ୍ୱନା ଓ ସମବେଦନା ଜଣାଇଛନ୍ତି।