ଭୁବନେଶ୍ୱର (ଏସ ନ୍ୟୁଜ ) : ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ଦିନ ୩ଟା ସୁଦ୍ଧା ହାରାହାରି ୫୫.୦୪% ମତଦାନ ହୋଇଛି। ବାଲେଶ୍ୱରରେ ଦିନ ୩ଟା ସୁଦ୍ଧା ୫୪.୮୫% ଓ ତିର୍ତ୍ତୋଲରେ ଦିନ ୩ଟା ସୁଦ୍ଧା ୫୫.୨୩% ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।
ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଭୋଟର୍ ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡଲାଇନ୍ ଅନୁସାରେ ଭୋଟ୍ ଗ୍ରହଣ ଚାଲିଛି। ପ୍ରତି ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ମତଦାନ ପାଇଁ ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋବସ ପ୍ରଦାନ କରାଯାଉଛି। ପୂର୍ବରୁ ବୁଥ୍ଗୁଡ଼ିକୁ ସାନିଟାଇଜ କରାଯାଇଛି।
ଶେଷ ଏକ ଘଣ୍ଟା ଅର୍ଥାତ ସନ୍ଧ୍ୟା ୫ଟାରୁ ୬ଟା ଭିତରେ କରୋନା ପଜିଟିଭ୍ ଚିହ୍ନଟ ବ୍ୟକ୍ତି ଭୋଟ ଦେଇପାରିବେ। ଅପରପକ୍ଷେ, ବାଲେଶ୍ୱରରେ ପୁଲିସ୍ କର୍ମଚାରୀ ଚିରିକୁଟି ବାଣ୍ଟୁଥିବା ଅଭିଯୋଗ ହେବା ପରେ ସଂପୃକ୍ତ ବୁଥ୍ରୁ ୨ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି। ତଦନ୍ତରେ ପ୍ରମାଣ ମିଳିନଥିଲେ ମଧ୍ୟ ବିଏଲ୍ଓ ଏବଂ ଜଣେ ପୁଲିସ କର୍ମଚାରୀଙ୍କୁ ହଟାଇ ଦିଆଯାଇଥିବା ନିର୍ବାଚନ କମିଶନ କହିଛନ୍ତି ।