ବିଚିତ୍ର ଦୁନିଆ: ପକ୍ଷୀଙ୍କ ଭିତରେ ପରକିୟା ପ୍ରୀତି

ପାଣିପାଗ ପରିବର୍ତନ କାରଣରୁ ବିଲକ୍ଷଣ….

ଏଭଳି କିଛି ଜୀବଜନ୍ତୁ ଅଛନ୍ତି ଯୋଉମାନେ ଯୋଡ଼ି ହରାଇବା ପରେ ଝୁରିଝୁରି ମରିଯାନ୍ତି ନଚେତ୍‌ ଆତ୍ମହତ୍ୟା କରିଥାନ୍ତି । ବିଶେଷ କରି ପକ୍ଷୀ ଜଗତରେ ଏହି ଧାରା ବେଶ ପୁରୁଣା । ହଂସ, ପାରା, କୁଆ, କୁମ୍ଭାଟୁଆ, କଜଳପାତି, ଘରଚଟିଆ, ଭଦଭଦଳିଆ, ବାରମାସୀ ଭଳି ପକ୍ଷୀଯୋଡ଼ିଙ୍କ ଭିତରୁ ଜଣକର କୌଣସି କାରଣରୁ ମୃତ୍ୟୁ ଘଟିଲେ, ଅନ୍ୟଟି ଝୁରିଝୁରି ମରିଯାଏ ନଚେତ୍‌ ଆତ୍ମହତ୍ୟା କରୁଥିଲେ ।

ମାତ୍ର ଏବେ ପକ୍ଷୀ ସଂସାରରେ ଆଉ ସେପରି ଦେଖିବାକୁ ମିଳୁନି । ଯୋଡ଼ି ମରିଯିବା ପରେ ଅନ୍ୟ ପୁରୁଷ ଅବା ମାଈପକ୍ଷୀଟି ସମଦଶା ଭୋଗୁଥିବା ଆଉ ଗୋଟିଏ ସାଥିକୁ ଆଦରି ସଂସାର କରୁଛି । ପକ୍ଷୀ ସମାଜରେ ଏଭଳି ବିଲକ୍ଷଣ ଦେଖିବା ପରେ ପରିବେଶ ବିଜ୍ଞାନୀମାନେ କାରଣ ଖୋଜୁଥିଲେ । ଅବଶେଷରେ ସେମାନେ ଜଳବାୟୁ ପରିବର୍ତନକୁ ଦାୟୀ କରିଛନ୍ତି । ବିଶ୍ୱତାପନର ପ୍ରଭାବ ସାରା ସଂସାର ଉପରେ ପଡୁଛି । ସେଥିରୁ ପକ୍ଷୀ ସମାଜ କିଭଳି ତ୍ରାହି ପାଇବେ ।

ଜୀବନସାଥି ପ୍ରତି ବିଶ୍ୱସ୍ତ ରହିବା ପାଇଁ ମଣିଷମାନେ ବହୁ ରାଣନିୟମ ପକାଇଥାନ୍ତି । ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଚନ୍ଦ୍ର ଏକପତ୍ନୀବ୍ରତ କରିଥିବାର ରାମାୟଣ ପଠନରୁ ଜାଣିଛୁ । ପଶୁପକ୍ଷୀ ଦୁନିଆରେ ମଧ୍ୟ ଏକନିଷ୍ଠ ବ୍ରତ ଦେଖିବାକୁ ମିଳିଥାଏ । ସ୍ତନ୍ୟପାୟୀଙ୍କ କଥା କହିଲେ ପ୍ରାୟ ୫ ହଜାରରୁ ଅଧିକ ପ୍ରଜାତିର ପ୍ରାଣୀଙ୍କ ଭିତରୁ ମାତ୍ର ୫ ଭାଗ ଜୀବନରେ ଜଣେ ସାଥିଙ୍କୁ ବାଛିଥାନ୍ତି ।

ପକ୍ଷୀ ସମାଜରେ ଏହି ସଂଖ୍ୟା ଟିକେ ଅଧିକ । ପ୍ରାୟ ୯୦ ଭାଗ ପକ୍ଷୀ ଦମ୍ପତି ସାରା ଜୀବନ ପାଇଁ ପରସ୍ପରକୁ ଆଦରିଥାନ୍ତି । ସେହି ପକ୍ଷୀ ସମାଜ ଭିତରୁ ସାରସ ସଂପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ପକ୍ଷୀ ଆଉ ଜୀବନସାଥି ବିରହରେ ମରିବାକୁ ପସନ୍ଦ କରୁନି । ବରଂ ଆଉ ଜଣେ ସମଦଶା ଭୋଗୁଥିବା ସାଥିଟିଏ ଖୋଜୁଛି ।

ଇକୋଲୋଜି ସୋସାଇଟି ଅଫ୍‌ ଆମେରିକା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପାଣିପାଗ ପରିବର୍ତନ କାରଣରୁ ପକ୍ଷୀ ସମାଜରେ ଜନ୍ମହାର କମିଯାଉଛି । ତେଣୁ ବଂଶକୁ ରକ୍ଷା କରିବା ପାଇଁ ବିରହରେ ଛଟପଟ ପକ୍ଷୀଟି ଆଉ ଗୋଟିଏ ସାଥି ବାଛିବାକୁ ବାଧ୍ୟ ହେଉଛି । ଉକ୍ତ ରିପୋର୍ଟରେ କେବଳ ସାରସ କଥା ପ୍ରକାଶ ପାଇଛି । ମାତ୍ର ଧିରେଧିରେ ଅନ୍ୟ ପକ୍ଷୀଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତନ ଦେଖିବାକୁ ମିଳିଛି ।