ଅହମଦାବାଦ : କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୯ଜଣ ଜୀବନ୍ତ ଦଗ୍ଧ । ଅହମଦାବାଦର ପିରାନା ‘ଡମ୍ପିଙ୍ଗ୍ ୟାର୍ଡ’ ନିକଟ ଗଣେଶନଗର ଅଞ୍ଚଳରେ ଥିବା ଏକ କପଡ଼ା ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଛି ।
ଅହମଦାବାଦ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଜଣେ ଅଧିକାରୀ କହିଛନ୍ତି ଯେ, ଗଣେଶନଗରରେ ଥିବା ଟରେଣ୍ଟ୍ ପାୱାର୍ ଷ୍ଟେସନ୍ ନିକଟ କାରଖାନାର ଏକ ଗୋଦାମରେ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଭାବେ ଜଳୁଥିଲା ଯେ, ପୀଡ଼ିତମାନେ ଗୋଦାମରୁ ବାହାରି ଆସି ପାରିଲେ ନାହିଁ।
ଅଗ୍ନିକାଣ୍ଡ ସମୟରେ ସେଠାରେ ଅନ୍ୟୂନ ୧୦ଜଣ ଲୋକ କାମ କରୁଥିଲେ। ବିଦ୍ୟୁତ୍ ସର୍ଟ ସର୍କିଟ୍ କିଂବା ବିଡ଼ି ବା ସିଗାରେଟ୍ରୁ ଅଗ୍ନିକଣିକା ଛିଟିକି ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡ ସଂକ୍ରାନ୍ତରେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଫୋନ୍ ପାଇବା ପରେ ତୁରନ୍ତ ଅହମଦାବାଦ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ପ୍ରାୟ ୨୪ଟି ଦମକଳ ଓ ୫୦ଜଣ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅହମଦାବାଦ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଅଧିକାରୀମାନେ କହିଛନ୍ତି।