ରାଷ୍ଟ୍ରପତି ପଦ ଛାଡ଼ିବେ ଭ୍ଲାଦିମିର ପୁଟିନ

ମସ୍କୋ: ରୁଷର ରାଷ୍ଟ୍ରପତି ଆସନ୍ତା ବର୍ଷ ଜାନୁଆରୀରେ ପଦ ଛାଡ଼ିବେ ।ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମିଡିଆ ରିପୋର୍ଟ ଅନୁଯାୟୀ, ୬୭ ବର୍ଷୀୟ ପୁଟିନ ପାର୍କିନସନ୍ସ ରୋଗରେ ପୀଡ଼ିତ। ଏହି କାରଣରୁ ରାଜନୀତିରୁ ସନ୍ୟାସ ନେବାକୁ ତାଙ୍କ ପରିବାର ଲୋକ ତାଙ୍କୁ ବାରମ୍ବାର ନିବେଦନ କରି ଆସୁଥିଲେ।

ପାରିବାରର ଅନୁରୋଧ ରକ୍ଷା କରି ପୁଟିନ ଏବେ ଏଭଳି ନିଷ୍ପତ୍ତି ନେଇଥିବା ନ୍ୟୁୟର୍କ ପୋଷ୍ଟ ଖବର ପ୍ରକାଶ କରିଛି।
ଏହି ଖବର କାଗଜକୁ ରୁଷର ରାଜନୀତିକ ସମୀକ୍ଷକ ଭାଲେରି ସୋଲଭେଇ ଏପରି ସୂଚନା ଦେଇଥିବା ଜଣାପଡ଼ିଛି। ସେ କହିଛନ୍ତି, ତାଙ୍କ ପରିବାର ଲୋକଙ୍କ ପାଇଁ ପୁଟିନ ରାଜନୀତି ଛାଡ଼ିବାକୁ ଯାଉଛନ୍ତି। ଜାନୁଆରୀ ମାସରେ ସେ ଏହାକୁ ସାର୍ବଜନୀନ କରି ତାଙ୍କ ଉତ୍ତରାଧିକାରୀଙ୍କ ନାଁ ଘୋଷଣା କରିବେ।

ସୂଚନା ଅନୁସାରେ ତାଙ୍କ ଶରୀରରେ ପାର୍କିନସନ୍ସ ରୋଗ ରହିଛି। ଏହାର ଲକ୍ଷଣ କିଛି ଦିନ ତଳେ ଦେଖିବାକୁ ମିଳିଥିଲା। ଏହି ସମୟରେ ତାଙ୍କ ଗୋଡ଼ ଆଦୌ ହଲଚଲ ହେଉନାହିଁ। ଚେୟାରରେ ବସିବା ବେଳେ ସେ କଷ୍ଟ ଅନୁଭବ କରୁଛନ୍ତି। ଏହାବାଦ ସେ ପେନ୍‌ କିମ୍ବା କପ୍‌ ଧରିବା ବେଳେ ତାଙ୍କ ଅଙ୍ଗୁଳି ଗୁଡ଼ିକ ଥରୁଛି।