ନୂଆଦିଲ୍ଲୀ: ଭାରତ ଓ ଚାଇନା ୮ମ ଥର ପାଇଁ ଟପ୍ ମିଲିଟାରୀ କମାଣ୍ଡରସ୍ତରୀୟ ଆଲୋଚନା ହେଉଛି। ଏସବୁ ଭିତରେ ଭାରତର ଚିଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାରତ କେବେ ହେଲେ ଏଲଏସିରୁ ପଛକୁ ଘୁଞ୍ଚିବ ନାହିଁ। ସେହିପରି ଏଲଏସିରେ କୌଣସି ପରିବର୍ତ୍ତନକୁ ଗ୍ରହଣ କରିବ ନାହିଁ। ଏବେ ସୃଷ୍ଟି ହୋଇଥିବା ସୀମା ବିବାଦ ଆଗକୁ ବୃହତ୍ତର ରୂପ ଧାରଣ କରିବାର ଆଶଙ୍କା ରହିଛି ବୋଲି ସେ ମତ ଦେଇଛନ୍ତି। ଟ୍ରାନ୍ସଗ୍ରେସନ ଓ ଉସକାଇବା ଭଳି ପ୍ରତିରକ୍ଷା କାର୍ଯ୍ୟାନୁଷ୍ଠାନ ଯୋଗୁ ସୃଷ୍ଟି ହେବାକୁ ଥିବା ବିବାଦ ଆଗକୁ ବୃହତ୍ତର ରୂପ ନେଇପାରେ।
ବର୍ତ୍ତମାନ ଏଲଏସିରେ ସ୍ଥିତି ଉତ୍ତେଜନାମୂଳକ ରହିଛି। ପିଏଲଏ ଲଦାଖରେ ଯେକୌଣସି ହରକତ କରିବାକୁ ଚେଷ୍ଟା କଲେ ମଧ୍ୟ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ୁଛି। ଏଲଏସିରେ କୌଣସି ପ୍ରକାରର ପରିବର୍ତ୍ତନକୁ ଆମେ ଗ୍ରହଣ କରିବୁ ନାହିଁ କିମ୍ବା ସୀମାରୁ ପଛକୁ ଘୁଞ୍ଚିବୁ ନାହିଁ ବୋଲି ସିଡିଏସ କହିଛନ୍ତି।