ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

ଇସଲାମବାଦ : ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇଛନ୍ତି । ହାଇକୋର୍ଟ ବାହାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି । ତାଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରେ ପାକିସ୍ତାନୀ ରେଞ୍ଜର୍ସ ଗିରଫ କରିଛନ୍ତି । ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ନେତା ମୁସରତ ଖେମା ଟ୍ୱିଟ୍‌ କରି ଦାବି କରିଛନ୍ତି ଯେ ସେମାନେ ଇମ୍ରାନ ଖାନଙ୍କୁ ନିର୍ଯାତନା ଦେଉଛନ୍ତି । ସେମାନେ ଇମ୍ରାନ ଖାନଙ୍କୁ ପିଟୁଛନ୍ତି ।

ପିଟିଆଇ ଟ୍ୱିଟ୍‌ କରିଥିବା ଭିଡିଓରେ ଇମ୍ରାନ ଖାନଙ୍କ ଓକିଲ ଆହତ ହୋଇଥିବା ଜଣାପଡିଛି ।ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ପିଟିଆଇ ଅଧ୍ୟକ୍ଷଙ୍କୁ ରେଞ୍ଜର୍ସ ଗିରଫ କରିଥିଲା, ଯେଉଁଠାରେ ସେ ତାଙ୍କ ବିରୋଧରେ ପଞ୍ଜୀକୃତ ଏକାଧିକ ଏଫ୍‌ଆଇଆରରେ ଜାମିନ ମାଗିବାକୁ ଯାଇଥିଲେ ।

ଖାନ ଇସଲାମାବାଦ ହାଇକୋର୍ଟରେ ଏକ ବିଦ୍ରୋହ ମାମଲାରେ ଏବଂ ଅନ୍ୟ ଏକ ହତ୍ୟା ଉଦ୍ୟମ ଅଭିଯୋଗରେ ହାଜର ହେବାର ଥିଲା । ଅନ୍ୟପଟେ ଇସଲାମାବାଦ ପୋଲିସ କହିଛି ଯେ ଜାତୀୟ ରାଜଧାନୀରେ ଧାରା ୧୪୪ ଲାଗୁ କରାଯାଇଛି । ଇସଲାମାବାଦ ହାଇକୋର୍ଟ ବାହାରେ ଥିବା ରେଞ୍ଜର୍ସଙ୍କ ଦ୍ୱାରା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଥିଲା ବୋଲି ଡନ୍‌ ସୂଚନା ଦେଇଛନ୍ତି ।