ଓ୍ବାସିଂଟନ : ଆମେରିକାର ଲୋକପ୍ରିୟ ରାପର କିଙ୍ଗ ଭନ୍ଙ୍କୁ ଗୁଳି କରି ହତ୍ୟା । ଏହି ଘଟଣା ଆଟଲାଣ୍ଟାର ଏକ ନାଇଟ୍ କ୍ଲବ୍ ବାହାରେ ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିଥିବା ବେଳେ କେହି ଜଣେ ଦୁର୍ବୃତ୍ତ ଭନ୍ଙ୍କୁ ଗୁଳି ମାରିଥିବା ପୋଲିସ କହିଛି।

ତେବେ ପୋଲିସ ଗୁଳିରେ ଭନଙ୍କ ଜୀବନ ଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିବା ବେଳେ ଆଟ୍ଲାଣ୍ଟା ପୋଲିସ ଏହାକୁ ଖଣ୍ଡନ କରିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଘଟଣାସ୍ଥଳରେ ଦୁଇଜଣ ଅଫ ଡ୍ୟୁଟି ଅଧିକାରୀ ଉପସ୍ଥିତ ଥିଲେ। ରାତି ପ୍ରାୟ ୩.୨୦ ସମୟରେ ମୋନାକୁ ହୋକା ଲାଉଞ୍ଜ ବାହାରେ ଦୁଇ ପୁରୁଷ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ସେଠାରେ ଦୁଇ ଅଫ୍ ଡ୍ୟୁଟି ପୋଲିସ ଅଫିସର ଉପସ୍ଥିତ ଥିଲେ। ଗୁଳି ଶବ୍ଦ ଶୁଣିବା ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ। ତେବେ ଗଣ୍ଡଗୋଳ ହିଂସାର ରୂପ ନେଇ ସାରିଥିବାରୁ ସେମାନଙ୍କୁ ଅଟକାଇବାକୁ ପୋଲିସ ଗୁଳି ଚାଳନା କରିଥିଲା ।
ପରେ ରାପର ଭନ୍ଙ୍କ ସମେତ ତିନି ଜଶଙ୍କ ଶରୀରରେ ଗୁଳି ବାଜିଥିଲା। ସେମାନଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ପୋଲିସ କି ଭିଡ଼ର ଗୁଳିମାଡ଼ରେ ଭନ୍ଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ।