ନୂଆଦିଲ୍ଲୀ: ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ଭାବେ ଏକ ବର୍ଷ ପୂରଣ କରିଛନ୍ତି ସୋନିଆ ଗାନ୍ଧୀ। ଏଣିକି ଆଗକୁ ପଦବୀ ସମ୍ଭାଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଦଳର କାର୍ଯ୍ୟକାରୀ କମିଟି(ସିଡବ୍ଲ୍ୟୁସି)କୁ ପତ୍ର ଲେଖି ଜଣାଇଛନ୍ତି ସୋନିଆ।
ପତ୍ରଟି ସାର୍ବଜନୀନ ହୋଇନଥିଲେ ହେଁ ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହେଲାଣି। ଗାନ୍ଧୀ ପରିବାରରୁ କେହି ନୂଆ ଅଧ୍ୟକ୍ଷ ହେବେନାହିଁ ବୋଲି ପ୍ରିୟଙ୍କା ଗାନ୍ଧୀ ପୂର୍ବରୁ ସ୍ପଷ୍ଟ କରିସାରିଥିବାରୁ ନୂଆ ମଙ୍ଗୁଆଳଙ୍କ ପାଇଁ କଳ୍ପନା ଜଳ୍ପନା ଚାଲିଲାଣି। ଇତିମଧ୍ୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସମେତ ଅନ୍ୟ କିଛି ନେତା ରାହୁଲ ପୁଣି ମଙ୍ଗ ଧରନ୍ତୁ ବୋଲି ମତ ରଖିଲେଣି।
ଦଳୀୟ କାର୍ଯ୍ୟ ଠିକରେ ଚାଲିନାହିଁ ବୋଲି ଅଭିଯୋଗ ଦର୍ଶାଇ ୨୦ ରୁ ଅଧିକ ବରିଷ୍ଠ ନେତା ଦୁଇ ସପ୍ତାହ ତଳେ ସୋନିଆଙ୍କୁ ଚିଠି ଲେଖିଥିଲେ। ଗୁଲାମ ନବୀ ଆଜାଦ, ପି ଚିଦାମ୍ବରମ, ଆନନ୍ଦ ଶର୍ମା, କପିଲ ଶିବଲ, ଶଶୀ ଥରୁରଙ୍କ ପରି ନେତା ଏହି ଲିଷ୍ଟରେ ସାମିଲ। କଂଗ୍ରେସ ସଂଗଠନ ଓ କାର୍ଯ୍ୟପନ୍ଥାରେ ବଡ଼ ଧରଣର ପରିବର୍ତ୍ତନ ଓ ପୁନର୍ବିନ୍ୟାସ କରିବାକୁ ଏମାନେ ଦାବି କରିଥିଲେ। ଯାହାର ପ୍ରତ୍ୟୁତ୍ତରରେ ସୋନିଆ ନୂଆ ଅଧ୍ୟକ୍ଷ ବାଛିବାକୁ ଚିଠି ଲେଖିଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନ କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଲଢ଼ିଥିଲା। ହେଲେ ଲଜ୍ୟାଜନକ ପ୍ରଦର୍ଶନ ପରେ ରାହୁଲ ନୈତିକତା ଦୃଷ୍ଟିରେ ଇସ୍ତଫା ଦେଇଥିଲେ। ଏହାପରେ କମିଟି ସୁପାରିଶରେ ଅତ୍ୟନ୍ତ ଜଟିଳ ସ୍ଥିତିରେ ନିଜେ ସୋନିଆ ଦଳର ଭାର ସମ୍ଭାଳିଥିଲେ। ହେଲେ ସମାନ ଫୁଟା ଡଙ୍ଗା ସ୍ଥିତି ବଜାୟ ରହିବାରୁ ଏବେ ପୁଣିଥରେ ନୂଆ ମୁହଁ ଖୋଜା ପଡ଼ିଛି।