ଚାକିରୀ ନ ମିଳିଲେ ବନ୍ଧୁକ ଉଠାଇବେ ଜାମ୍ମୁ କାଶ୍ମୀର ଯୁବକ:ମେହବୁବା ମୁଫତି

ଶ୍ରୀନଗର : ପିଡିପି ନେତା ମେହବୁବା ମୁଫତି ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିଛନ୍ତି । ଜମ୍ମୁ କଶ୍ମୀରର ଯୁବକଙ୍କ ପାଖରେ ରୋଜଗାର ନଥିବା ବେଳେ ବାହାର ରାଜ୍ୟର ଲୋକଙ୍କୁ ସରକାର ଏଠାରେ ରୋଜଗାର ଦେଉଛନ୍ତି। ତେଣୁ ବାଧ୍ୟ ହୋଇ ଏଠିକାର ଯୁବକ ଅସ୍ତ୍ରଶସ୍ତ୍ର ଧରୁଛନ୍ତି ଏବଂ ବିଭିନ୍ନ ସଂଗଠନରେ ସାମିଲ୍ ହେଉଛନ୍ତି ବୋଲି ସେ କହିଛନ୍ତି। ମୋଦି ସରକାର ବାଜପେୟୀଙ୍କ ନୀତିକୁ ଅବଲମ୍ୱନ କରିବା ଦରକାର ବୋଲି ମୁଫତି କହିଛନ୍ତି।

ଧାରା ୩୭୦ ଉଚ୍ଛେଦ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟର ବିକାଶ ହେବ, ଆତଙ୍କବାଦର ମୂଳପୋଛ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେଯାଏ ତାହା କେନ୍ଦ୍ର ସରକାର କାର୍ଯ୍ୟ କରି ନାହାନ୍ତି ବୋଲି ସେ କହିଛନ୍ତି । ସେ ଦାବି କରିଛନ୍ତି ଯେ ଧାରା ୩୭୦ ହଟାଇବା ପରେ କଶ୍ମୀରରେ ଆତଙ୍କବାଦ ଆହୁରି ବଢ଼ିଛି। ସେହିଭଲି ଚାଇନା ପ୍ରସଙ୍ଗରେ ମେହବୁବା କହିଛନ୍ତି, ଏଯାବତ ୨୦ ଜଣ ଯବାନ ସହିଦ ହୋଇଛନ୍ତି ତଥାପି ଭାରତ ସରକାର ଚାଇନା ସହ କଥାବାର୍ତ୍ତା କରୁଛନ୍ତି।

ମେହବୁବା ମୁଫତି କହିଛନ୍ତି, ‘ଧାରା ୩୭୦ ଜଣେ ମୁସଲମାନ କିମ୍ବା ହିନ୍ଦୁଙ୍କର ପ୍ରଶ୍ନ ନୁହେଁ, କିନ୍ତୁ ମହାରାଜା ହରି ସିଂ ଏହାର ସୁରକ୍ଷା ପାଇଁ ଡୋଗ୍ରା ଆଇଡେଣ୍ଟି ରଖିଥିଲେ। ଆଉ ସମାନ ସର୍ତ୍ତରେ ଏହା ଭାରତରେ ମିଶିଥିଲା। ଧାରା ୩୭୦ ହଟାଇ ସରକାର ବାବା ସାହେବ ଆମ୍ବେଦକରଙ୍କ ସ୍ୱମିଧାନକୁ ଅସମ୍ମାନୀତ କରିଛନ୍ତି। ସେ ଦାବି କରିଛନ୍ତି ତାଙ୍କୁ ଜମ୍ମୁ କଶ୍ମୀରର ପତାକା ଉଡାଇବାକୁ ଅନୁମତି ଦେବା ସହିତ ଧାରା ୩୭୦ ପୁଣି ଥରେ ଲାଗୁ କରାଯାଉ ବୋଲି ମୁଫତି ଦାବି କରିଛନ୍ତି।