୨୦୨୩: ଚଳିତ ବର୍ଷ ପଡୁଛି ଯୋଡ଼ି ଶ୍ରାବଣ; ମହାଦେବଙ୍କୁ ଭକ୍ତିର ସହ ପୂଜାର୍ଚ୍ଚନା କରନ୍ତୁ
ଶ୍ରାବଣ ମାସଟି ଦେବ ଦେବ ମହାଦେବଙ୍କ ପ୍ରତି ସମର୍ପିତ । ଏହି ମାସରେ ଭକ୍ତମାନେ ପ୍ରଭୁ ସଦାଶିବଙ୍କୁ ଭକ୍ତି ସହକାରେ ପୂଜାର୍ଚ୍ଚନା କରି ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଥାନ୍ତି । ବିଶେଷ କରି ଆଷାଢ଼ ପୂର୍ଣ୍ଣିମା ପରଦିନଠାରୁ ଶ୍ରାବଣ ମାସ ଆରମ୍ଭ ହୁଏ । ଚଳିତ ବର୍ଷ ଶ୍ରାବଣ ମାସ ଜୁଲାଇ ୪ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୩୧ରେ ଶେଷ ହେବ । ସଂକ୍ଷେପରେ କହିଲେ ଭୋଳାନାଥଙ୍କୁ ଆରାଧନା କରିବା ପାଇଁ ଭକ୍ତଙ୍କୁ ୫୯ ଦିନ ମିଳୁଛି । ଏଭଳି ସୁଯୋଗ ପ୍ରତିବର୍ଷ ମିଳେନା । ଚଳିତ ଶ୍ରାବଣ ମାସରେ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭକ୍ତଙ୍କୁ ଆଠଟିି ସୋମବାର ମିଳୁଛି ।
ଶାସ୍ତ୍ର ଅନୁସାରେ ଚନ୍ଦ୍ର ମାସ ୩୫୪ ଦିନ ଭୋଗ ହେଉଥିଲା ବେଳେ ସୌରମାସ ୩୬୫ ଦିନ । ଦୁଇଟି ଭିନ୍ନ ଗଣନା ଅନୁସାରେ ୧୧ଟି ବଳକା ଦିନ ରହୁଛି ଯାହା ପ୍ରତି ତିନିବର୍ଷରେ ୩୩ ଦିନ ଅର୍ଥାତ ଗୋଟିଏ ଅଧିମାସ ଗଣନା କରାଯାଏ, ଖାସ ସେହି କାରଣରୁ ଏଥର ଦୁଇଟି ଶ୍ରାବଣ ମାସ ପଡୁଛି ।
ଶାସ୍ତ୍ର ଅନୁସାରେ ଅଧିମାସର ଅଧିକାରୀ ଭଗବାନ ବିଷ୍ଣୁ । ଶ୍ରାବଣ ମାସଟି ପ୍ରଭୁ ମହାଦେବଙ୍କ ପ୍ରତି ସମର୍ପିତ ଥିବାରୁ ଚଳିତବର୍ଷ ଭକ୍ତଙ୍କୁ ଉଭୟ ଭଗବାନ ଶିବ ଶଙ୍କର ଓ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।
ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ପବିତ୍ର ମାନନ୍ତି । ଶ୍ରଦ୍ଧାଳୁମାନେ ପ୍ରଭୁ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବିଧି ମୁତାବକ ପୂଜାର୍ଚ୍ଚନା କରନ୍ତି । କୁମାରୀ ଝିଅମାନେ ମନଲାଖି ଜୀବନସାଥୀ ପାଇବା ପାଇଁ ଷୋଳ ସୋମବାର ବ୍ରତ କରିଥାନ୍ତି ।
ଚଳିତବାର ଶ୍ରାବଣ ମାସର ପ୍ରଥମ ସୋମବାର ଜୁଲାଇ ୧୦ ତାରିଖରେ ପଡୁଛି । ଅଷ୍ଟମ ସୋମବାର ଅଗଷ୍ଟ ୨୮ ତାରିଖରେ ପଡୁଛି ।