ବିବାହ ପୂର୍ବରୁ ଜୀବନସାଥୀକୁ ଜାଣିବା ଜରୁରୀ

ଆଜିର ଝିଅମାନେ ଆପଣା କ୍ୟାରିୟରକୁ ନେଇ ବେଶ ସଚେତନ । ବିବାହ ପୂର୍ବରୁ ଚାକିରି କରିବା ସହିତ ସ୍ୱାମୀ ଉପରେ ବୋଝ ହେବାକୁ ପସନ୍ଦ କରନ୍ତିନି । ଏଭଳି ସମୟରେ ଜଣେ ପୁରୁଷ ବିବାହ ପୂର୍ବରୁ ଭାବି ପତ୍ନୀଙ୍କର କ୍ୟାରିୟର ଓ ଭବିଷ୍ୟତ ଯୋଜନା ସଂପର୍କରେ ଜାଣିବା ଦରକାର । ଅଧିକାଂଶ କର୍ମଜୀବୀ ମହିଳା ପରିବାର ଓ ଚାକିରି ମଧ୍ୟରେ ତାଳମେଳ ରକ୍ଷା କରି ଚଳିଥାନ୍ତି । ମାତ୍ର କିଛି ବିବାହିତା ମହିଳା ପରିବାରକୁ ଅବହେଳା କରିଥାନ୍ତି । ଶଶୁର, ଶାଶୁ, ନଣନ୍ଦ, ଦିଅରଙ୍କ ପ୍ରତି ଦୃଷ୍ଟି ଦେଇପାରନ୍ତିନି । ସ୍ୱାମୀଙ୍କୁ ଅବହେଳା କରିବାକୁ ମଧ୍ୟ ପଛାନ୍ତି ନାହିଁ ।

କ୍ୟାରିୟର ଓ ଭବିଷ୍ୟତକୁ ପ୍ରାଥମିକତା ଦେଉଥିବା ମହିଳାମାନେ ବିବାହ ପୂର୍ବରୁ ଭାବି ସ୍ୱାମୀଙ୍କ ସହିତ ଖୋଲା ଆଲୋଚନା କରିବା ଜରୁରୀ । ସେହିପରି ପୁଅଟିଏ ମଧ୍ୟ ଭାବିପତ୍ନୀଙ୍କ ସହିତ ପରିବାରର ଭବିଷ୍ୟତ ବିଷୟରେ ଆଲୋଚନା କରିବା ଜରୁରୀ । ଝିଅଟିର ଶଶୁର ଘର ଓ ଚାକିରି ସ୍ଥାନ ଭିନ୍ନ ଭିନ୍ନ ସହରରେ ହୋଇଥିଲେ ଟିକେ ଅସୁବିଧା ହୋଇଥାଏ । ସକାଳୁ ଉଠି ପରିବାର କଥା ବୁଝି କର୍ମସ୍ଥଳୀକୁ ଯାଇ ପୁଣି ଫେରିବା ପରେ ପରିବାରକୁ ସମୟ ଦେବା କଷ୍ଟକର ହୋଇଥାଏ, ଏପରି ସମୟରେ ଶଶୁର ଘର ଲୋକମାନେ ବୋହୂକୁ ସହଯୋଗ କରିବା ଦରକାର । ମାତ୍ର ଅନେକ କ୍ଷେତ୍ରରେ ବୋହୂଟି ଉପରେ ଶଶୁର ଘର ଲୋକମାନେ ଆପଣା ମର୍ଜି ଚଲାନ୍ତି ।

ଶଶୁର ଘରଠାରୁ ଅଧିକ ଦୂରରେ ଚାକିରି କରୁଥିବା ମହିଳାମାନେ ପରିବାରକୁ ଜମାରୁ ସମୟ ଦେଇପାରନ୍ତିନି । ଶଶୁର ଘର ଭୁବନେଶ୍ୱର, ଚାକିରି ସ୍ଥାନ ୨୦୦ କିଲୋମିଟର ଦୂର ବାଲେଶ୍ୱର । ଏଭଳି ସ୍ଥିତିରେ ମହିଳାଙ୍କୁ ପରିବାର ଓ ଚାକିରି ଭିତରୁ ଯେକୌଣସି ଗୋଟିଏକୁ ଅଧିକ ଦୃଷ୍ଟି ଦେବାକୁ ପଡିଥାଏ ।
ଆର୍ଥିକ ସ୍ୱାଧୀନତାକୁ ପସନ୍ଦ କରୁଥିବା ମହିଳା କେବେ ଚାକିରି ଛାଡ଼ିବାକୁ ଚାହିଁବେନି । ପରିବାରକୁ ଅଧିକ ସମୟ ଦେବା ସେମାନଙ୍କ ପକ୍ଷେ ଅସମ୍ଭବ । ପରିବାର ଓ ଅଫିସ ଗୋଟିଏ ସହରରେ ଥିଲେ, ମହିଳାଜଣକ ତାଳମେଳ ରକ୍ଷା କରିପାରିବେ ।

ଆଜିର ଦୁନିଆରେ ଉଭୟ ସ୍ୱାମୀ-ସ୍ତ୍ରୀ ଚାକିରି କରିବା ଦରକାର । ଫଳରେ ପରିବାର ଆର୍ଥିକ ସ୍ଥିତି ମଜଭୁତ ରହିବ । ବିବାହ ପୂର୍ବରୁ ପୁରୁଷମାନେ ଜୀବନସାଥୀର ଚାକିରି ଓ ଦରମା ଜାଣିବା ଦରକାର । ଜୀବନସାଥୀ ଚାକିରି କରୁ ନଥିଲେ, ପ୍ରତିଟି କଥାରେ ସ୍ୱାମୀଙ୍କ ଉପରେ ନିର୍ଭର କରନ୍ତି । ଜଣେ ସ୍ୱାଭିମାନୀ ମହିଳା କେବେ ସ୍ୱାମୀର ପକେଟ୍‌ ଉପରେ ନିର୍ଭର କରନ୍ତିନି ।

ଝିଅଟିଏ ଯେମିତି ତାଙ୍କ ସ୍ୱାମୀଙ୍କର ପସନ୍ଦ ନାପସନ୍ଦ ଜାଣିବାକୁ ଚାହିଁଥାନ୍ତି, ପୁଅଟିଏ ସେମିତି ତାଙ୍କ ପତ୍ନୀଙ୍କର ପସନ୍ଦ ନାପସନ୍ଦ ସଂପର୍କରେ ଜାଣିବା ଜରୁରୀ । ଭାବି ପତ୍ନୀ ଶାକାହାରୀ କି ମାଂସାହାରୀ । ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବାର ଅଭ୍ୟାସ ରହିଛି କି ଦିନ ୧୧ଟାରେ । ରାତିରେ ଜଲଦି ଶେଯକୁ ଯାଆନ୍ତି କି? ତାଙ୍କର ଜୀବନଶୈଳୀ ବିଷୟରେ ଜାଣିଲା ପରେ ପୁଅଟି ତାକୁ ନେଇ ଘର ସଂସାର କରିବେ କି ନା’, ଫୈସଲା କରିବା ଦରକାର ।

ବିବାହ ପରେ ପତ୍ନୀ ଶଶୁର ଘର ଲୋକଙ୍କ ସହିତ ରହିବାକୁ ପସନ୍ଦ କରିବେ କି ଏକା ସ୍ୱାମୀଙ୍କ ସହିତ ରହିବାକୁ ଚାହିଁବେ, ସେ ବିଷୟ ଜାଣିବା ଜରୁରୀ । ଖାଲି ସେତିକି ନୁହେଁ, ପିଲା ଜନ୍ମ କରିବା ଓ ପରିବାର ସଭ୍ୟ ସଂଖ୍ୟା ସଂପର୍କରେ ପଚାରି ବୁଝିବା ଦରକାର । ଆଜିର ଝିଅମାନେ ବେଶ ଖୋଲା ଆଲୋଚନାକୁ ପସନ୍ଦ କରନ୍ତି । ବିବାହ ପରେ ସେମାନଙ୍କ ଇଛା ବିରୋଧରେ ଯେକୌଣସି ପଦକ୍ଷେପ ପରିବାରକୁ ଛାରଖାର କରି ଦେଇପାରେ ।