ଜମିବନି ରଜ ମଉଜ: ମୌସୁମୀକୁ ଅନୁମତି ଦେଲେନି ନବୀନ

ରଜ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗଭୀର ସଂପର୍କ ରହିଛି । ପ୍ରତିବର୍ଷ ରଜ ବେଳକୁ ଓଡ଼ିଶାରେ ପାଦ ଦେଇ ସାରିଥାଏ ଦକ୍ଷିଣ-ପଶ୍ଚିମ ମୌସୁମୀ । କିନ୍ତୁ ଏ ବର୍ଷ ମୌସୁମୀକୁ ସଅଳ ଆସିବାକୁ ଅନୁମତି ଦେଲେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଜ ପରେ ମୌସୁମୀ ଓଡ଼ିଶାକୁ ଆସିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆମ ଗଣିତ ମୁତାବକ ମୌସୁମୀ ବିଜେପିର କେନ୍ଦ୍ରୀୟ ନେତାଙ୍କ ସାଙ୍ଗରେ ଓଡ଼ିଶାକୁ ଆସିବ । ନିକଟ ଭବିଷ୍ୟତରେ ବିଜେପି ନେତା ଅମିତ ଶାହ ଓ ଜେପି ନଡ୍ଡା ଓଡିଶାକୁ ଆସିବାର ଅଛି । ସେଇମାନଙ୍କ ସହିତ ମୌସୁମୀ ଓଡ଼ିଶା ଆସିବାର ଅଭିପ୍ରାୟ ରଖିଛି ।

ଚଳିତ ବର୍ଷ ମୌସୁମୀ ଟ୍ରେନଟି ବିଳମ୍ବରେ ଗଡ଼ିବା ଆରମ୍ଭ କରିଛି । କେରଳ ଉପକୂଳରେ ପହଂଚିବାକୁ ୭ ଦିନ ଡେରି ହୋଇଗଲା । ତାମିଲନାଡୁ, କର୍ଣ୍ଣାଟକ ସମେତ ଉତର-ପୂର୍ବ ଭାରତର ଅଧିକାଂଶ ଅଂଚଳକୁ ମୌସୁମୀ ଛୁଇଁ ସାରିଛି ।

ପ୍ରଭୁ ଜଗନ୍ନାଥ ଅଣସର ଘରେ ରହିଥିବାରୁ ଗୁଳୁଗୁଳି ବଢ଼ିଛି । ପାଣିପାଗ ମତରେ ବାୟୁମଣ୍ଡଳରେ ଅଧିକ ଆଦ୍ରତା ରହିଲେ ଗୁଳୁଗୁଳି ଅନୁଭୂତ ହୁଏ । ବିଶେଷ କରି ଜୁନମାସରେ ବାୟୁରେ ଆଦ୍ରତା ରହିବା ସ୍ୱାଭାବିକ । ମୌସୁମୀ ଆସିବା ପରେ ତାପମାତ୍ରା ପରିବର୍ତନ ହୁଏ ।

ଇତିମଧ୍ୟରେ ବାଂଲାଦେଶ ଓ ମ୍ୟାଁମାର ଉପକୂଳରେ ଏକ ଲଘୁଚାପ ବଳୟ ସକ୍ରିୟ ରହିଛି ବୋଲି ପାଣିପାଗ କହିଛି । ମୋଟ ଉପରେ କହିଲେ ଆଗାମୀ ୫ ଦିନ ଭିତରେ ପାଗ ବଦଳିବାର ନାହିଁ । ତାପମାତ୍ରା ପୂର୍ବଭଳି ବୃଦ୍ଧି ପାଇବ । ତତଲା ପାଗରେ ରଜପାନ ଓ ରଜଦୋଳି ମଜା ନେଇପାରିଲେ ଭଲ ।