ଉପଭୋକ୍ତାଙ୍କ ମୁଣ୍ଡରେ ଅଠା ବୋଳିଲେ ପ୍ରତାପ

ଭୁବନେଶ୍ୱର: ଏତେଦିନ ଧରି ଟାଟା ପାୱାରକୁ ମୁଣ୍ଡରେ ବସାଇଥିଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ମାତ୍ର ମୁଖ୍ୟ ଶାସନ ସଚିବଙ୍କ କଡ଼ା ତାଗିଦ ପରେ ଟାଟାକୁ ଦୋଷ ନଦେଇ ପ୍ରତାପ ଭିତିଭୂମି ଅଭାବ କଥା କହିଛନ୍ତି । ଭିତିଭୂମି ଅଭାବ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତାର ଅଭାବ । ମାଙ୍କଡ଼ ହାତରେ ଶାଳଗ୍ରାମର ଅବସ୍ଥା ଯାହା ଟାଟା ହାତକୁ ବିଦ୍ୟୁତ ବିତରଣ ଦାୟିତ୍ୱ ଟେକି ଜନତାଙ୍କ ଅସନ୍ତୋଷର କାରଣ ସାଜିଛନ୍ତି ବିଜେଡି ସରକାର ।

ଅବଶ୍ୟ ଏଭଳି ପଦକ୍ଷେପ ଗ୍ରହଣ କରି ବିଜେଡି ବେଶ ମୋଟା ରକମର ଚାନ୍ଦା ହାତେଇଛି । ମାତ୍ର ସେଇ ଚାନ୍ଦା ଅର୍ଥ ଏବେ ବିଜୁଳି ଉପଭୋକ୍ତାଙ୍କଠାରୁ ଆଦାୟ କରୁଛି ଟାଟା । କିନ୍ତୁ ଶକ୍ତିମନ୍ତ୍ରୀ ଏତେ ଭେଦ କଥା ନକହି ଭିତିଭୂମିକୁ ଦାୟୀ କରିଛନ୍ତି । ପ୍ରତାପ କହିଛନ୍ତି, ରାଜ୍ୟରେ ବିଜୁଳି ଉତ୍ପାଦନ ଠିକ ଅଛି । ମାତ୍ର ଭିତିଭୂମି ଅଭାବରୁ ଉପଭୋକ୍ତାଙ୍କୁ ଯୋଗାଇବା ସମ୍ଭବ ହୋଇପାରୁନି । ଉପଭୋକ୍ତାଙ୍କ ତଂଟିରେ ହାତ ପୁରାଇ ଶୁଳ୍କ ଆଦାୟ କରିବାର କଳା ଯଦି ଟାଟା ପାୱାରକୁ ଜଣା, ତେବେ ଭିତିଭୂମିକୁ ସୁଦୃଢ଼ କରିବାର କଳା କେମିତି ଜଣାନାହିଁ ।

ଟାଟା ପାୱାର ମୁଖ୍ୟଙ୍କୁ ଚାହିଁଲେ ମୁଖ୍ୟମନ୍ତ୍ରୀ ସାବାଡ କରିପାରିବେ, ମାତ୍ର ସେ ସାବାଡ କରିବେ କାହିଁକି? ଟାଟା ପାୱାରରେ ନବୀନବାବୁଙ୍କ ପରିବାର ଅଂଶୀଦାର ରହିଛି । ଆପଣମାନେ କହିବେ ନବୀନବାବୁଙ୍କର ପରିବାର କୋଉଠୁ ଆସିଲା? କି ଅସମ୍ଭବ କଥା? ନବୀନବାବୁ ସିନା ବାହା ହୋଇନାହାନ୍ତି ହେଲେ ତାଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ ଓ ଭଉଣୀ ଗୀତା ପଟ୍ଟନାୟକ କ’ଣ ସଂସାର କରିନାହାନ୍ତି । ସେମାନଙ୍କର ପିଲାପିଲି କ’ଣ ନବୀନବାବୁଙ୍କ ପିଲା ନୁହନ୍ତି । ପ୍ରତାପ ଦେବ ଏତେବଡ଼ କଥା କହି ଆପଣା ଗୋଡ଼କୁ କୁରାଢ଼ି ମାରିବେ କେମିତି?
ପ୍ରତାପ ଅଭିଯୋଗ କରିଛନ୍ତି, ଉପଭୋକ୍ତାମାନେ ଯେଉଁ ହାରରେ ବିଜୁଳି ବ୍ୟବହାର କରୁଛନ୍ତି, ତା’ର ପ୍ରଭାବରେ ଟ୍ରାନ୍ସଫର୍ମର ପୋଡ଼ିଯାଉଛି । ରାଜ୍ୟ ନିକଟରେ ଚାଇନାଠାରୁ ଅଧିକ ବିଜୁଳି ଅଛି । ହେଲେ ସେହି ବିଜୁଳି ଲୋକଙ୍କ ନିକଟରେ ପହଂଚାଇବାକୁ ଭିତିଭୂମି ନାହିଁ । ଟାଟା ପାୱାରକୁ ଟ୍ରାନ୍ସଫର୍ମର ବସାଇବା ପାଇଁ ଆଦେଶ ଦେବାର କ୍ଷମତା ଶକ୍ତିମନ୍ତ୍ରୀଙ୍କ ପାଖରେ ନାହିଁ କାରଣ ସେ ମୁଖ୍ୟମନ୍ତ୍ରୀଙ୍କ ହଳିଆ ।

ପ୍ରତାପ ଦେବ ମୁଖ୍ୟ ଶାସନ ସଚିବଙ୍କ ଅସନ୍ତୋଷର ଜବାବ ଦେବାକୁ ଯାଇ କହିଛନ୍ତି, ପବନ ହେଲେ ବିଜୁଳି କାଟ କରାଯାଉଛି । କାଳବୈଶାଖୀ ଯୋଗୁ ତାର ଛିଣ୍ଡିଯାଉଛି, ଖୁଂଟ ବଙ୍କେଇ ଯାଉଛି ବା ଉପୁଡ଼ି ଯାଉଛି । ଖୁଂଟ ପୋତି ବିଜୁଳି ଯୋଗାଇବା ପାଇଁ ସମୟ ଲାଗିବ । ଆଖି ପିଛୁଳାକେ ସବୁକାମ ହୋଇପାରିବନି ।

ସୋମବାର ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ରାଜ୍ୟର ଚାରିଟି ବିଜୁଳି ବିତରକ କଂପାନୀର ସିଇଓ ଯୋଗଦେବାର ଅଛି । ଉକ୍ତ ବୈଠକ ପରେ ଶକ୍ତିମନ୍ତ୍ରୀଙ୍କ ପ୍ରତାପ ବଜାୟ ରହିବ କି ନା’ ଜଣାପଡ଼ିବ ।