ବହୁ ଅଣ୍ଡାଳିଲା, କିଛି ନପାଇ ବାହାନଗା ଷ୍ଟେସନ୍‌ ସିଲ କଲା ସିବିଆଇ

ଭୁବନେଶ୍ୱର/ବାଲେଶ୍ୱର: ଓଡ଼ିଶାରେ ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଚେର ଅଣ୍ଡାଳି ଅଣ୍ଡାଳି ହାଲିଆ ହୋଇଯିବା ପରେ ଅନ୍ୟ କିଛି ବାଟ ନପାଇ ସିବିଆଇ ଟିମ୍‌ ବାହାନଗା ଷ୍ଟେସନକୁ ସିଲ୍‌ କରି ଚାଲି ଯାଇଛନ୍ତି । ଯିବା ପୂର୍ବରୁ ଲୋକଙ୍କ ମନ ବୁଝିବା ପାଇଁ ଗଣମାଧ୍ୟମକୁ କହିଛି ସିବିଆଇ, ‘ଯାହା ଖୋଜୁଥିଲୁ, ପାଇଗଲୁ ।’ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି । ଯାହା ଖୋଜୁଥିଲା ସିବିଆଇ, ଯଦି ପାଇଗଲା, ତେବେ ବାହାନଗା ଷ୍ଟେସନକୁ ସିଲ୍‌ କଲା କାହିଁକି? ସତକଥା ହେଉଛି, ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ହାଇଡ୍ରାମା କରି ସାରିବା ପରେ ସିବିଆଇ ନୂଆଦିଲ୍ଲୀ ଫେରିଯାଇଛି । ନାଟକର ଶେଷଅଙ୍କଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ରହିଛି । ସେ ଯେମିତି ଚାହିଁବେ, ସିବିଆଇ ସେମିତି ରିପୋର୍ଟ ତିଆରି କରିବେ ।

ପରବର୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ବାହାନଗା ଷ୍ଟେସନ କେବଳ ଟ୍ରେନଗୁଡ଼ିକ ଦେଖିପାରିବ । ମାତ୍ର କୌଣସି ଯାତ୍ରୀଙ୍କୁ ସ୍ୱାଗତ କରିପାରିବନି । ଉଭୟ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ ରଖିବାକୁ ବାରଣ କରାଯାଇଛି । ପ୍ରତିଦିନ ବାହାନଗା ବାଟ ଦେଇ ପ୍ରାୟ ୧୭୦ଟି ଟ୍ରେନ ଯା’ଆସ କରିଥାଏ ।
ରେଳବାଇ ଅଧିକାରୀ ଆଦିତ୍ୟ ଚୌଧୁରୀ କହିଛନ୍ତି, ସିବିଆଇ ଯାଂଚ କରିବା ସମୟରେ ସବୁ ଦସ୍ତାବିଜ ନେଇଯାଇଛି । ଲଗବୁକ୍‌, ରିଲେ ପ୍ୟାନେଲ ଓ ଇଲେକ୍‌ଟ୍ରୋନିକ୍ସ ଡିଭାଇସ ଜବତ କରିଛି ।

ସୂଚନା ମୁତାବକ ଜୁନ ୨ ତାରିଖରେ ବାଲେଶ୍ୱର ଜିଲ୍ଲାର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହୀ ଗାଡ଼ିକୁ ପିଟିଥିଲା । ଯାହା ଫଳରେ ୨୮୮ ଜଣ ଲୋକଙ୍କର ପ୍ରାଣହାନି ଘଟିଲା । ଦୁର୍ଘଟଣାରେ ପ୍ରାୟ ୧୨୦୮ ଲୋକ ଆହତ ହୋଇଥିଲେ ।