ବିଳମ୍ବିତ ନ୍ୟାୟକୁ ମଲମ: ପୂର୍ବତନ ବିଧାୟକଙ୍କୁ ଆଜୀବନ

କୋର୍ଟର ବିଳମ୍ବିତ ନ୍ୟାୟ ପ୍ରକ୍ରିୟାକୁ ଅଧିକାଂଶ ଲୋକ ନାପସନ୍ଦ କରିଥାନ୍ତି । କିନ୍ତୁ ପତ୍ନୀଙ୍କୁ ମାରି ଖସିଯିବାକୁ ଉଦ୍ୟମ କରି ଜଣେ ରାଜନେତା ଏବେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ପତ୍ନୀଙ୍କୁ ହତ୍ୟା କରିଥିବା ଅପରାଧରେ କୋର୍ଟ ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି । ତା’ ସହିତ ୫୦ ହଜାର ଟଙ୍କା ଜରିମାନା ପଇଠ କରିବାକୁ କହିଛନ୍ତି । ଜରିମାନା ପଇଠ ନକଲେ ଅତିରିକ୍ତ ୬ ମାସ ଜେଲ ଭୋଗିବାକୁ ପଡିବ । ପ୍ରମାଣ ନଷ୍ଟ କରିଥିବାରୁ ଆହୁରି ୩ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ପଇଠ କରିବାକୁ କୁହାଯାଇଛି । ଜରିମାନା ବାବଦ ଅର୍ଥ ପଇଠ ନକଲେ, ତିନିମାସ ଜେଲ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ମୁତାବକ ୧୯୯୫ ମସିହାରେ ରାମମୂର୍ତିଙ୍କ ପତ୍ନୀ ଶଶିରେଖାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ରାମମୂର୍ତିଙ୍କ ଏମଏଲଏ କଲୋନୀସ୍ଥିତ ସରକାରୀ କ୍ୱାର୍ଟରରୁ ପତ୍ନୀ ଶଶିରେଖାଙ୍କର ଅଧାପୋଡ଼ା ମୃତଦେହ ପାଇଥିଲା ପୁଲିସ । ଶଶିରେଖା ଗର୍ଭବତୀ ଥିବାର ଜଣାପଡ଼ିଥିଲା । ପତ୍ନୀ ଆତ୍ମହତ୍ୟା କରିଥିବା କଥା ପୁଲିସକୁ କହିଥିଲେ ରାମମୂର୍ତି । ତଦନ୍ତ ସମୟରେ ଆତ୍ମହତ୍ୟା ମାମଲା ହତ୍ୟା ବୋଲି ଜଣାପଡ଼ିଥିଲା । ସଂପୃକ୍ତ ଘଟଣାର ୨୮ ବର୍ଷ ପରେ ରାମମୂର୍ତିଙ୍କୁ ଦୋଷୀ ପ୍ରମାଣିତ କରି ସ୍ୱତନ୍ତ୍ର ଅଦାଲତ ଦଣ୍ଡାଦେଶ କରିଛନ୍ତି ।