ଅଙ୍ଗଦାନ କରି ଅମର ହେଲେ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଜି ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଜଣଙ୍କୁ ମରଣୋତ୍ତର ‘ସୁରଜ ସମ୍ମାନ’ରେ ସମ୍ମାନିତ କରିଛନ୍ତି। ମୃତ୍ୟୁ ପରେ ଅଙ୍ଗଦାନ କରି ୬ ଜଣଙ୍କ ଜୀବନ ବଞ୍ଚାଇଥିବା ଭଞ୍ଜନଗରର ଜଣେ ଯୁବକ ‘ସୁରଜ’ଙ୍କ ନାମରେ ପୁରସ୍କାରଟିର ନାମକରଣ ହୋଇଛି।

୨୦୧୯ ଅକ୍ଟୋବରରେ ଦୁର୍ଭାଗ୍ୟବଶତଃ ସୁରଟରେ ଏକ ଦୁର୍ଘଟଣାର ଶିକାର ହୋଇ ସୁରଜ ମସ୍ତିଷ୍କ ମୃତ୍ୟୁ ଅବସ୍ଥାରେ ଥିଲେ। ଏହାପରେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ଦାନ କରିବାର ସାହସିକ ନିଷ୍ପତ୍ତି ପରିବାର ଲୋକ ନେଇଥିଲେ। ସୁରଜଙ୍କ କିଡନୀ, ଲିଭର, ହାର୍ଟ ଓ ଦୁଇ ଆଖି ତାଙ୍କ ଶରୀରରୁ କଢାଯାଇଥିଲା। ଏସବୁ ବିଭିନ୍ନ ସହରରେ ଛଅ ଜଣ ବ୍ୟକ୍ତିଙ୍କ ଠାରେ ପ୍ରତିରୋପଣ କରାଯାଇ ସେମାନଙ୍କ ଜୀବନ ବଞ୍ଚାଯାଇ ପାରିଥିଲା। ସୁରଜଙ୍କ ପରିବାରର ମାନବିକତାର ଏହି ସର୍ବୋଚ୍ଚ ନିଦର୍ଶନକୁ ସମ୍ମାନ ଜଣାଇ ୨୦୧୯ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୁରଜ ସମ୍ମାନ’ ପୁରସ୍କାର ଘୋଷଣା କରିଥିଲେ ।

ସୁରଜଙ୍କ ପରେ ଦିଗପହଣ୍ଡିର ପି. ପ୍ରିୟଙ୍କାରାଣୀ ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସ ଓ ପୁରୀ ଡ଼େଲାଙ୍ଗର ରାଜଲକ୍ଷ୍ମୀ ଦାସଙ୍କ ପରିବାର ମଧ୍ୟ ମୃତ ପରିଜନଙ୍କ ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ। କଟକ ଏସସିବି ମେଡିକାଲ କଲେଜ, ଭୁବନେଶ୍ୱରର ଆପୋଲୋ ଏବଂ ଆମ୍ରି ହସ୍ପିଟାଲରେ ଏସବୁ ଅଙ୍ଗ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହୋଇଥିଲା। ସେମାନଙ୍କ ଏହି ତ୍ୟାଗକୁ ସମ୍ମାନ ଜଣାଇ ଆଜି ଭିଡ଼ିଓ କନ୍ଫରେସିଂ ଜରିଆରେ ଅଙ୍ଗଦାତାଙ୍କ ପରିବାରକୁ ‘ସୁରଜ ସମ୍ମାନ’ରେ ସମ୍ମାନିତ କରାଯିବା ସହ ପୁରସ୍କାର ରାଶି ବାବଦକୁ ୫ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁରଜଙ୍କ ପରିବାରର ସାହସିକ ନିଷ୍ପତ୍ତି ଓ ମଣିଷ ପଣିଆର ଉଚ୍ଚପ୍ରଶଂସା କରିବା ସହିତ ସେମାନଙ୍କ ତ୍ୟାଗ ଅନ୍ୟମାନଙ୍କୁ ଅଙ୍ଗଦାନ ପାଇଁ ପ୍ରେରଣା ସୃଷ୍ଟି କରିଛି ବୋଲି କହିଥିଲେ।

ଭିଡ଼ିଓ କନ୍ଫରେସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ପିପିଲି ବିଧାୟକ ପ୍ରଦୀପ ମହାରଥୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।