ଆଜି ଧନତେରସ,ରାଜ୍ୟର ବିଭିନ୍ନ ସ୍ଥାନରେ ଗହଣା ଦୋକାନରେ ଗହଳି

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଜି କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ । ଏହି ଦିନକୁ ସାରା ଦେଶରେ ଧନତ୍ରୟୋଦଶୀ ବା ଧନତେରସ ଭାବେ ପାଳନ କରାଯାଉଛି । ଆଜି ଦିନରେ ସୁନା ବା ମୂଲ୍ୟବାନ ଧାତୁ କିଣିଲେ ସମୃଦ୍ଧି ପ୍ରାପ୍ତି ହୁଏ ବୋଲି ଲୋକମାନଙ୍କର ବିଶ୍ବାସ ରହିଛି । ତେଣୁ ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଥିବା ସୁନାଗହଣା ଦୋକାନଗୁଡ଼ିକରେ ଗହଳି ପରିଲକ୍ଷିତ ହେଉଥିବା ଦେଖାଯାଉଛି । ଏହି ଆଜିର ଦିନରେ ଗଣେଷ, ମହାଲକ୍ଷ୍ମୀଙ୍କ ଆରାଧନା କରିଲେ ସୁଖ ,ସମୃଦ୍ଧି ଓ ଧାନ ପ୍ରାପ୍ତି ହୁଅ ବୋଲି ମଧ୍ୟ ବିଶ୍ୱାସ ରହିଛି ।

ତେବେ କରୋନା କଟକଣା ଦୃଷ୍ଟିରୁ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଏଥର ଅଧିକ ଗହଳି ଚାଲି ନାହିଁ । ତଥାପି ଆଜିର ଦିନରେ ସୁନା କିଣିଲେ ସମୃଦ୍ଧି ହେଉଥିବା ଯୋଗୁ ରାଜ୍ୟରେ ଥିବା ଜୁଏଲାରୀ ଦୋକାନଗୁଡ଼ିକରେ କରୋନା ଗାଇଡଲାଇନର ଅନୁପାଳନ ମଧ୍ୟରେ ଲୋକମାନେ ସୁନା କିଣୁଛନ୍ତି । ସୋରୁମ ଗୁଡ଼ିକ ପକ୍ଷରୁ ମଧ୍ୟ ତାପମାତ୍ରା ଯାଞ୍ଚ ଓ ସାନିଟାଇଜର ବ୍ୟବହାର କରି ଗ୍ରାହକମାନଙ୍କୁ ଭିତରକୁ ଛଡ଼ାଯାଉଛି । ଦୋକାନଗୁଡ଼ିକରେ ଅଧିକ ଜନଗହଳିକୁ ନିୟନ୍ତ୍ରଣ କରିବାକୁ କମିସନରେଟ୍ ପୁଲିସ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଉଛି । କୌଣସି ଦୋକାନରେ କୋଭିଡ ନିୟମର ଉଲ୍ଲଙ୍ଘନ ଓ ଅଧିକ ଗହଳି ହେଲେ ଉକ୍ତ ଦୋକାନକୁ ସିଲ କରିବାକୁ ମଧ୍ୟ ପୁଲିସକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଲୋକନମାନଙ୍କ ଆର୍ଥିକସ୍ଥିତି ବେହାଲ ହୋଇଯାଇଛି । ଏଣୁ ଲୋକମାନେ ସୁନାରୁପା ଆଦି ଧନ ବଦଳରେ ନିଜର ସ୍ବାସ୍ଥ୍ୟ ରକ୍ଷା ଦିଗରେ ଅଧିକ ସଚେତନ ହେବା ଉଚିତ । କାରଣ ସ୍ବାସ୍ଥ୍ୟ ହିଁ ପ୍ରକୃତ ସମ୍ପଦ ବୋଲି କେତେକ ବିଶେଷଜ୍ଞ କହିଛନ୍ତି ।