ହମାସକୁ ମୂଳପୋଚ୍ଛ କରିବା ପାଇଁ ଇସ୍ରାଏଲ ପ୍ରତିଶ୍ରୁତିବଦ୍ଧ । ଆତଙ୍କୀ ସଂଗଠନକୁ ସାବାଡ୍ କରିବା ପାଇଁ ଇସ୍ରାଏଲ ଯୋଉ ପଦକ୍ଷେପ ଗ୍ରହଣ କରିଛି; ତା’ର ପରିଣାମ ସ୍ୱରୂପ ଉତର ଗାଜାକୁ ସଂପୂର୍ଣ୍ଣ କରଗତ କରିଛି ଇସ୍ରାଏଲ । ଗାଜାର ଅନ୍ୟ ଅଂଚଳଠାରୁ ଉତର ଗାଜାକୁ ଅଲଗା କରିଦେବା ପରେ ଏବେ ଇସ୍ରାଏଲ ସେନା ଗାଜା ସହରରେ ପ୍ରବେଶ କରିବେ । ସୁଡଙ୍ଗ ଭିତରେ ଲୁଚି ରହିଥିବା ହମାସ ଆତଙ୍କୀମାନଙ୍କୁ ଖୋଜି ଖୋଜି ନିପାତ କରିବେ ।
ହମାସ-ଇସ୍ରାଏଲ ଯୁଦ୍ଧ କାରଣରୁ ବିଗତ ମାସକ ଭିତରେ ୯୭୦୦ ପାଲେଷ୍ଟିନୀୟ ମୃତାହତ ହୋଇସାରିଛନ୍ତି ।
ଇତିମଧ୍ୟରେ ଗାଜା ସହରରୁ ହଜାର ହଜାର ପାଲେଷ୍ଟିନୀୟ ସୁରକ୍ଷିତ ମଣୁଥିବା ଅଂଚଳକୁ ପଳାୟନ କରୁଥିବାର ଦେଖିବାକୁ ମିଳିଛି । ଗାଜାରେ ବସବାସ କରୁଥିବା ଲୋକଙ୍କ ଭିତରୁ ୭୦ ଭାଗ ପାଲେଷ୍ଟିନୀୟ । ମାସେ ଧରି ଯୁଦ୍ଧ ଲାଗିବା କାରଣରୁ ସଂପୃକ୍ତ ଅଂଚଳରେ ଖାଦ୍ୟ, ଔଷଧ, ଜାଳେଣି ଓ ପାଣିର ଘୋର ଅଭାବ ଦେଖାଦେଇଛି । ଗାଜା ସହରରେ ଇଂଟରନେଟ୍ ଓ ମୋବାଇଲ ସେବା ବନ୍ଦ କରି ଦିଆଯାଇଛି ।
ମାନବିକତା ଦୃଷ୍ଟିରୁ ଯୁଦ୍ଧ ବନ୍ଦ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଇସ୍ରାଏଲ ସେଥିପ୍ରତି କର୍ଣ୍ଣପାତ କରୁନାହିଁ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଆମେ ବହୁତ ବରଦାସ୍ତ କଲୁ । ଏବେ ହମାସକୁ ନିପାତ କରିବା ପରେ ଶାନ୍ତ ହେବୁ ।
ଅଧିକାଂଶ ମୁସଲିମ ଦେଶ ଇସ୍ରାଏଲ ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି, ହମାସ୍-ଇସ୍ରାଏଲ ଲଢେ଼ଇ ଭିତରେ ନିରୀହ ମହିଳା ଓ ଶିଶୁମାନଙ୍କୁ ବଳି ପକାଇବା ଆଦୌ ଉଚିତ ନୁହେଁ ।